ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ ମୋଟର ଯାନ ଇନ୍ସପେକ୍ଟର ବଟକୃଷ୍ଣ ବିଶ୍ଵାଳ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଘୋଷ ବାହିନୀ ଦଳ ବାଦ୍ୟ ବଜାଇ ପ୍ଲାକାର୍ଡ ଧରି ଟିସାର୍ଟ ଓ ଟୋପି ପିନ୍ଧି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ, ଦ୍ରୁ ଗତି ମହା ବିପତ୍ତି, ସଡ଼କ ସୁରକ୍ଷା ପରିବାର ରକ୍ଷା ଭଳି ବିଭିନ୍ନ ସଚେତନତା ସ୍ଳୋଗାନମାନ ଦେଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ରକ୍ଷକ ମାଷ୍ଟର ଟ୍ରେନର ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ଘରୋଇ ବସ୍ ମାଲିକ ସଂଘର ଲୋକନାଥ ପାଢୀ ସଚ୍ଚିଦାନନ୍ଦ ସାହୁ, ରବିଚନ୍ଦ୍ର ପାତ୍ର, କିଶୋର କୁମାର ପାଲ, ସନ୍ୟାସୀ ସାହୁ, ସୂର୍ଯ୍ୟନାରାୟଣ ସାହୁ, ନିଶାକର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।