ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେସ ଗୌଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ମାନଙ୍କର ସୁରକ୍ଷା, ଯତ୍ନ ଉପରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦାୟିତ୍ଵ ଗୁରୁତ୍ଵ ପୂର୍ଣ୍ଣ ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ବ୍ଲକ ସ୍ତରୀୟ କମିଟିର ଦାୟିତ୍ଵ, କର୍ତ୍ତବ୍ୟ, ଭୂମିକା ଉପରେ ଜଣାଇଥିଲେ । କିଶୋର ନ୍ୟାୟ ଆଇନ୍ ୨୦୧୫ ଅନୁଯାୟୀ ମିଆସନ ବାତ୍ସଲ୍ୟ ଯୋଜନା ଅଧୀନରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ଆଇନର ବିରୁଦ୍ଧାଚରଣ କରିଥିବା ଶିଶୁଙ୍କ ପାଇଁ ଥିବା ବାଲ୍ୟ ବିବାହ ଆଇନ ୨୦୦୬, ଗର୍ଭ ନିରୂପଣ ନିଷେଧ ଆଇନ ୧୯୯୪, ଶିଶୁ ଓ କିଶୋର ଶ୍ରମିକ ନିସେଧ ଆଇନ ୧୯୮୬ , ଶିଶୁଙ୍କୁ ଯୌନ ନିର୍ଯ୍ୟାତନାରୁ ରକ୍ଷା କରିବା ଆଇନ ୨୦୧୨ ଉପରେ ସଚେତନତା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରେ ଅସୁରକ୍ଷିତ ଘେରରେ ଥିବା ଶିଶୁମାନଙ୍କ ପାଇଁ ମିଶନ ବାତ୍ସଲ୍ୟ ୨୦୨୨ ମାର୍ଗଦର୍ଶିକା ଅନୁଯାୟୀ ଥିମ୍ ୩ ଏବଂ ଥିମ୍ ୯ ଅଧିନରେ ଶିଶୁମାନଙ୍କୁ ସାହାଯ୍ୟ କରିପାରିବେ ବୋଲି ଜଣାଇଥିଲେ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ପ୍ରସ୍ତୁତି କରିବା, ପଞ୍ଚାୟତ ସ୍ତରୀୟ କମିଟିକୁ କ୍ରିୟାଶୀଳ କରି ବୈଠକ କରିବା ଉପରେ ଗୁରୁତ୍ତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ ସମେତ ୫୦ ରୁ ଉର୍ଦ୍ଧ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ପଞ୍ଚାୟତ ସାଧନ କେନ୍ଦ୍ରର ବବିତା ପ୍ରଧାନ, ରିସୋର୍ସ ପର୍ସନ ଗୀତାଞ୍ଜଳି ପ୍ରଧାନ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ବିନୟ କୁମାର ସାହୁ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।