ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି- “ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ଵ ” ବା “Vigilllance : Our shared responsibility” । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜନ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ଅଭିମନ୍ୟୁ ମାଝୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର ନାୟକ, ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଶାଖାର ଡିଏସ୍‌ପି ଦୈତାରୀ ଘଡେ଼ଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ଼ର ସହାୟକ ଅଧ୍ୟାପକ ନୂତନ ଖମାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭିଜିଲାନ୍ସ ଡି.ଏସ୍‌.ପି ଶ୍ରୀ ଘଡ଼ାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ସମ୍ୟକ ସୂଚନା ଦେବା ସହିତ ଦୁର୍ନୀତିକୁ ହଟାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ପ୍ରତ୍ୟେକ ସମାଜର କ୍ଷେତ୍ରରେ ଦୁର୍ନୀତିର ମୂଳୋତ୍ପାଟନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମସ୍ତ କର୍ମଚାରୀ ମାନେ ସ୍ଵଚ୍ଛତା ବଜାୟ ରଖିବା ଉପରେ କହିବା ସହିତ କାର୍ଯ୍ୟରେ ସାଧୁତା ଓ କର୍ମରେ ନିଷ୍ଠା ରଖିବା ଉପରେ କହିଥିଲେ । ସମସ୍ତଙ୍କୁ ଦୁର୍ନୀତି ବିରୋଧରେ ସଜାଗ ଓ ସଚେତନ ରହିବାକୁ କହିଥିଲେ । ସରକାରୀ ସେବା ଯୋଗାଣ ଆଦି କ୍ଷେତ୍ରରେ ପ୍ରାୟ ଅନଲାଇନ୍ ପ୍ରକ୍ରିୟାର ସୁବିଧା ରହିଛି । ତେଣୁ ଜନସାଧାରଣ ତଥା ହିତାଧିକାରୀମାନେ ସ୍ୱଚ୍ଛ ଉପାୟରେ ନିଜ ପାଇଁ ସେବା ଗୁଡ଼ିକ ସହଜରେ ପାଇ ପାରିବେ ବୋଲି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିଭଳି ମୁଖ୍ୟ ବକ୍ତା ଶ୍ରୀ ଖମାରୀ ଦୁର୍ନୀତିର ସ୍ୱରୂପ ଓ ପ୍ରକାର ଗୁଡ଼ିକୁ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରିଥିଲେ ଏବଂ ସତ୍ୟନିଷ୍ଠ ଓ ସାଧୁତା ସହ ନିଜର କର୍ତ୍ତବ୍ୟ ପାଳନ ହେଉଛି ପ୍ରକୃତ ଦେଶଭକ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ । ସେହିଭଳି ସେ ଦେଶରୁ ଦୁର୍ନୀତିର ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋଚନା କରିବା ସହିତ ସମସ୍ତ ନାଗରିକ ନିଜ ବ୍ୟବହାରରେ ପାରଦର୍ଶିତା, ନିଷ୍ଠା, ଦାୟିତ୍ୱବୋଧ ପ୍ରଦର୍ଶନ କଲେ ହିଁ ଏହା ପ୍ରଗତିଶୀଳ ଭାରତ ଭିତ୍ତିଭୂମିକୁ ସୁଦୃଢ କରିବ ବୋଲି ନିଜ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ଶେଷରେ ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ବୃନ୍ଦାବତୀ ତାଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଦଳର ସଦସ୍ୟ, ଆଶା କର୍ମୀ, ବରିଷ୍ଠ ନାଗରିକ, ଭିଜିଲାନ୍ସ ବିଭାଗର କର୍ମଚାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଆଜି ସକାଳେ ଡିଆର୍‌ଡିଏ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏକ ଭିଜିଲାନ୍ସ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଆଶାକର୍ମୀ ପ୍ରମୁଖ ସାମିଲ ହୋଇଥିଲେ ଏବଂ ଭିଜିଲାନ୍ସ ସଚେତନତାର ବାର୍ତ୍ତା ଦେଇ ସହର ମଧ୍ୟରେ ପରିକ୍ରମା କରିଥିଲେ । ପ୍ରକାଶ ଥାଉ କି, ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟ, ସମସ୍ତ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.