କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ସ୍ଥାନୀୟ ଜିଲ୍ଲା ପରିଷଦର ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଵେଚ୍ଛାସେବୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୁରୁଣା ବସଷ୍ଟାଣ୍ଡ, ଘୋଡାଘାଟ ଛକ, ନୂଆ ବସଷ୍ଟାଣ୍ଡ, ଜିଲ୍ଲା କାରାଗାର ଦେଇ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସଚେତନତା ଶୋଭାଯାତ୍ରା ପରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି କୁଳପତି ଡ. ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢି, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ ପ୍ରଦୀପ କୁମାର ଆଇନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ଯୋଗଦେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ତାତ୍ପର୍ଯ୍ୟ ଏବଂ ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ । ଦେଶର ଆର୍ଥିକ, ରାଜନୈତିକ,ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ । ସମସ୍ତେ ସଚେତନ ହୋଇ ଏକ ସଶକ୍ତ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଏହି ଅବସରରେ ନାଗରିକ ମାନଙ୍କ ପାଇଁ ସାଧୁତାର ସପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ।