ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡ୍ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ଖଣ୍ଡଦେଉଳି ଗ୍ରାମ ପରିଭ୍ରମଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଡିସେମ୍ୱର ୧ ତାରିଖରେ ବିଶ୍ୱ ଏଡ୍ସ ଦିବସ ୨୦୨୪ ଉପଲକ୍ଷେ କଲେଜ ପରିସରରେ ଏଡ୍ସ ଦିବସ ପାଳନ କରାଯାଇଛି । କଲେଜ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଏଡ୍ସର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହ ଅନ୍ୟାନ୍ୟ ସହକର୍ମୀ ତଥା ଆୟୁର୍ବେଦିକ ଡାକ୍ତର ସାଗରିକା ପ୍ରଧାନ, ପଙ୍କଜିନୀ ରଥ ଏଲ୍.ଏଚ.ବି.ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଏଡ୍ସ ରୋଗର କାରଣ, ନିରାକରଣ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇ ସର୍ବଦା ସଜାଗ ଓ ସଚେତନ ରହିବା ପାଇଁ କହିଥିଲେ । ଏଥିରେ କଲେଜର ଇତିହାସ ବିଭାଗର ବରିଷ୍ଠ ଆନନ୍ଦ କୁମାର ଗୌଡ଼, ରାଜନୀତି ବିଭାଗର ବରିଷ୍ଠ ଲିଙ୍ଗରାଜ ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ ।