ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି । ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶରେ ୧୬ ଜଣ ସାଂସଦ ଥିବାବେଳେ ୧୫ ହଜାର କୋଟି ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଇଛି । କିନ୍ତୁ ଓଡ଼ିଶା ଏକାକୀ ୨୦ ସାଂସଦ ଦେଇଥିଲେ ହେଁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଅନୁଦାନ ନାହିଁ । ସେହିପରି ପୋଲାଭରମ ପ୍ରସଙ୍ଗରେ ନ୍ୟାୟ ପାଇଁ ଓଡ଼ିଶା ଲଢ଼ୁଥିବା ବେଳେ କେନ୍ଦ୍ର ପୋଲାଭରମ ପ୍ରକଳ୍ପ ପାଇଁ ଅଧିକ ପାଣ୍ଠି ଆବଣ୍ଟନ କରିବା ଓଡ଼ିଶା ବିରୋଧରେ ଷଡଯନ୍ତ୍ର ବୋଲି କୁହାଯାଇଛି । ମୁଦ୍ରାସ୍ପ୍ରୀତି, ମୂଲ୍ୟବୃଦ୍ଧି, ବେକାରୀର ସମାଧାନ ପାଇଁ କୌଣସି ବଜେଟ୍ ନାହିଁ । ବନ୍ୟାବାତ୍ୟା ପରି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ । ଅନ୍ୟ ରାଜ୍ୟର ଅନୁରୋଧକୁ ରକ୍ଷାକରି ଏଦିଗରେ ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଦାନ କରାଯାଇଥିବା ବେଳେ ବିର୍ପ୍ୟୟ ପରିଚାଳନା ଉପରେ ଓଡ଼ିଶାର ପ୍ରକୃତ ଚାହିଦାକୁ ବିଚାର କରାଯାଇନାହିଁ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ବିଚାରଧୀନ ଥିବା ଓଡ଼ିଆର କୋଇଲା ରୟାଲିଟିର ସଂଶୋଧନ ଦାବିକୁ ମଧ୍ୟ ଏଥର ପ୍ରତ୍ୟାଖ୍ୟାନ କରାଯାଇଛି । ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଥାଇ ମଧ୍ୟ ଓଡ଼ିଶାକୁ ଅବହେଳା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ କ୍ଷୋଭ ସହ ଉଦ୍‌ବେଗ ପ୍ରକାଶ ପାଇଛି । ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପ୍ରୟୋଗ କରି ଓଡ଼ିଶା ପାଇଁ ଅଧିକ ପାଣ୍ଠି ଯୋଗାଡ କରିବା ପାଇଁ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ପି. ପି. ରାୟ, ବରିଷ୍ଠ କର୍ମକର୍ତ୍ତା ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର କୁମାର ନାୟକ, ଜଟାଧାରୀ ମାଝୀ, ଜଗନ୍ନାଥ ରାଉତ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.