
- ରାଉରକେଲାର ଉନ୍ନତି କରଣ ପାଇଁ ଦିଲ୍ଲୀପ ରାୟଙ୍କ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିବଦ୍ଧତା ରଖୁଥିବା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଆଗାମୀ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଛେଣ୍ଡ ସ୍ଥିତ ମଞ୍ଚର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ସୁନ୍ଦରଗଡ ଜିଲ୍ଲା ସହ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସହରରେ ମେଗା ହାଉସିଂ ପ୍ରୋଜେକ୍ଟ ସହ ଗମନାଗମନ, ବିମାନ ବନ୍ଦର, ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ଏହାର କାର୍ଯ୍ୟକାରିତା ନେଇ ସେ ପ୍ରଶାସନ ସହ ଆଲୋଚନା କରିଥିବା କଥା ପ୍ରକାଶ କରିଥିଲେ । ଶ୍ରୀ ରାୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଭେଟି ଯେଉଁ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ ସେଗୁଡିକ ମଧ୍ୟରେ ବହୁତ ଦିନ ହେଲା ସହରରେ କୌଣସି ବଡ ହାଉସିଂ ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇନାହିଁ । ସାଧାରଣ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଛେଣ୍ଡ ନିକଟରେ ଖାଲି ଥିବା ଏକ ସ୍ଥାନକୁ ନିରୂପଣ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ ଶ୍ରୀ କୁଲକର୍ଣ୍ଣିଙ୍କ ସହ ଆଲୋଚନା କରିଥିଲେ । ଏଠାରେ ଥିବା ୩ଶହ ଏକର ଜମି ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବାରୁ ଆର୍ଏସ୍ପି ସହ ଆଲୋଚନା କରି ଜମି ପ୍ରସଙ୍ଗ ଠିକ୍ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ଛଡ଼ା ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ବିମାନ ବନ୍ଦର ପାଇଁ ରାଜ୍ୟ ସରକାର, ସେଲ୍ ଓ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟରେ ରାଜିନାମା କରି ଏହାକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ଓ ୧୩ ନମ୍ବର ସେକ୍ଟର ପର୍ଯ୍ୟନ୍ତ ରନୱେକୁ ବଢାଇବା, ରାତ୍ରି କାଳୀନ ବିମାନ ସେବା ସହ ୩ ସି ଲାଇସେନ୍ସ ପ୍ରଦାନରେ ଆଶା ଉଜ୍ଜୀବିତ, ବେଦବ୍ୟାସରେ ଝୁଲାପୋଲ, ପୋଷ୍ଟମର୍ଟମ ଗୃହର ସ୍ଥାନାନ୍ତରଣ, ଆର୍ଏମ୍ସି ମାର୍କେଟର ଶୀଘ୍ର କାର୍ଯ୍ୟକାରିତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୫ ମସିହାରେ ଦେଇଥିବା ପ୍ରତିଶୃତି ସତ୍ୱେ କେନ୍ଦ୍ର ସରକାରଙ୍କ ତରଫରୁ ମେଡିକାଲ୍ କଲେଜଟିଏ ହୋଇପାରିଲା ନାହିଁ । ତେଣୁ ଏଠାରେ ପଶ୍ଚିମ ଓଡ଼ଶାର ପ୍ରଥମ ଏମ୍ସ କଲେଜ କିମ୍ବା ଏମ୍ସ ଭଳି କେନ୍ଦ୍ର ସରକାରଙ୍କ ମେଡିକାଲ କଲେଜ ପାଇଁ ଶ୍ରୀ ରାୟ ପ୍ରସ୍ତାବ ରଖିଥିଲେ । ସହରର ଉନ୍ନତି ପାଇଁ ଏକ ଆଉଟ୍ରିଙ୍ଗ ରୋଡ ସହ ଏକ ଆଇଟି ହବ୍ କରିବା, ରାଉରକେଲାରେ ରେଳ ଡିଭିଜନ କରିବା ସହ କେଉଁଝରକୁ ଏହାର ଅନ୍ତର୍ଭୁକ୍ତ କରି ପୂର୍ବତଟ ରେଳବାଇରେ ସାମିଲ କରିବା, ସେହିପରି ବନ୍ଧମୁଣ୍ଡା କୁକୁଡ଼ାଗେଟ ନିକଟରେ ଥିବା ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗମନାଗମନ ପାଇଁ ପାନପୋଷ କ୍ୱାରୀ ସାଇଡିଂ କୋଏଲ ନଦୀର କୂଳେ କୂଳେ ମିଟକୁନ୍ଦୁରୀ ଝିରପାଣି ୯୦ ମିଟର ରୋଡ, ଝିରପାଣି- ବରତୋଲି – ବନ୍ଧମୁଣ୍ଡାରେ ୯୦ ମିଟର ରୋଡ, ଡେଲି ମାର୍କେଟ ନିକଟରେ ଏକ ମଲ୍ଟିଲେବୁଲ କାର ପାର୍କିଂ, ନୂଆ ବସଷ୍ଟାଣ୍ଡର ଉନ୍ନତିକରଣ, ବୀରମିତ୍ରପୁର ରେଲୱେ ଲାଇନ ଉପରେ ଏକ ଓଭରବ୍ରିଜ, ବେଦବ୍ୟାସ ଛକରୁ ବେଲଡିହି ପର୍ଯ୍ୟନ୍ତ ଏକ ଫ୍ଲାଇଓଭର, କୋଏଲ ନଗର ଅଞ୍ଚଳରେ ସ୍ୱରେଜ ବ୍ୟବସ୍ଥା, ଦୟାନଗର ଓ ବୁରୁଟୋଲାରେ ଏକ ତୋଫାନ ବାତ୍ୟା ଜନିତ ବର୍ଷା ଜଳ ନିଷ୍କାସନ ପଦ୍ଧତି, ଛେଣ୍ଡ ବସ୍ତି ନିକଟରେ ଥିବା ଜଗନ୍ନାଥ କଲୋନୀ ପି. କେ. ଦାସ କଲୋନୀ, ଟିସ୍କୋରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ, ବିପିୟୁଟି ପରିସରରେ ଥିବା ଡମ୍ପିଂୟାଡକୁ ଓପିଟିସିଏଲ୍ ପାଖକୁ ସ୍ଥାନାନ୍ତରଣ, କୋଏଲ ନଗରରେ ଏକ ଚିତ୍ତ ବିନୋଦନ ପାଇଁ ପାର୍କ, ଜନଜାତି ମ୍ୟୁଜିଅମ, ଆଇସିସିସି ବିଲଡିଂ, ପ୍ଲାନେଟୋରିଅମ ଓ ବିଜ୍ଞାନ ପାର୍କ, ଏସ୍ଟିଆଇ ଓ ବାସନ୍ତୀ କଲୋନୀରେ ମାର୍କେଟ କମ୍ପ୍ଲେକ୍ସ, ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ଆଦି ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇବା ସହ ଏହି ବୈଠକରେ ଏହା ଆଲୋଚନା କରାଯାଇଥିଲା । ଏହିଭଳି ପ୍ରଗତିଶୀଳ କାର୍ଯ୍ୟକ୍ରମରେ କେବଳ ମଞ୍ଚ କାହିଁକି ସମସ୍ତ ସମ ଭାବାପନ୍ନ ସଂଗଠନ ଗୁଡିକ ଏକାଠି ହୋଇ ଦାବି କଲେ ଏହାର ସୁଫଳ ପାଇପାରିବା ବୋଲି ଶ୍ରୀ ରାୟ ମତ ରଖିଥିଲେ । ସେହିପରି ସଚେତନ ନାଗରିକ ମଞ୍ଚର ଆଗାମୀ ୧୧ତମ ବାର୍ଷିକୋତ୍ସବ ପାଇଁ ଆସନ୍ତା ଫେବୃଆରୀ ମାସ ୯ ତାରିଖକୁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଲୋଚ୍ୟ ବିଷୟ ବିକଶିତ ଓଡ଼ିଶାରେ ରାଉରକେଲାର ଭୂମିକା ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ବୈଠକରେ ଶ୍ରୀ ରାୟଙ୍କ ବ୍ୟତୀତ ମଂଚର ସଭାପତି ଇଂ ବିଶି, ସାଧାରଣ ସମ୍ପାଦକ ପି ପି ରାୟ, ଜଗବନ୍ଧୁ ଜେନା, ଦିଲ୍ଲୀପ ମହାପାତ୍ର, ରାଜୀବ ପାଣି, ଉପେନ୍ଦ୍ର କୁମାର ନାୟକ, ମୀନତି ଦେବତା, ଜଟାଧାରୀ ମାଝୀ, ସସ୍ମିତା ପ୍ରଧାନ, ପ୍ରଦୀପ କୁମାର ନାୟକ, ଶାନ୍ତନୁ କୁମାର ମୁଦାଲି, ଜେ ଏମ୍ ପ୍ରହରାଜ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କୁଞ୍ଜବିହାରୀ ରାଉତ, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ, ନଳିନୀକାନ୍ତ ଧର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜର୍ଜ ଆନନ୍ଦ, ଚକ୍ରାନ୍ତ ଜେନା, ଦୀନବନ୍ଧୁ ମୁଦୁଲି, ବିଜୟ କୁମାର ବରାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ରାଧାକାନ୍ତ ମିଶ୍ର, ସୁବ୍ରତ ମଲ୍ଲିକ, ଡା ଗୋପବନ୍ଧୁ ବଳ ଓ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।