jayashree

ଆଜି ସାବିତ୍ରୀ ଅମାବାସ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍‌ ଉତ୍କଣ୍ଠା । ସଧବା ନାରୀଙ୍କ ମହଲରେ ଚଳଚଞ୍ଚଳ ଆଜି ଗାଁ ଠୁ ସହର । ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ତଥା ଆଜୀବନ ସଧବା ହେବା ପାଇଁ ଆଜି ସାଧ୍ୱୀମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ । ତୁଳସୀ ଚଉରାମୂଳେ ଏବଂ ମନ୍ଦିରରେ ୨୧ ପ୍ରକାର ଫଳ, ୨୧ ପ୍ରକାର ଫୁଲ ଓ ବିଭିନ୍ନ ପୂଜା ସାମଗ୍ରୀରେ ପୂର୍ଣ୍ଣ ଥାଳ ଧରି ପହଞ୍ଚିଛନ୍ତି ପୂଜା ପାଇଁ ।

ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା ହେଉଛି ଓଡ଼ିଶାରେ ସଧବା ନାରୀମାନଙ୍କ ଦ୍ୱାରା ପାଳିତ ଏକ ଓଷା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ । ତେଣୁ ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି ।

ଓଷା ପାଳନର ବିଧି
ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ୨୧ ପ୍ରକାର ଫଳ, ୨୧ ପ୍ରକାର ଫୁଲ ଓ ବିଭିନ୍ନ ପୂଜା ସାମଗ୍ରୀରେ ପୂର୍ଣ୍ଣ ଥାଳ ଧରି ପୂଜା କରିଥାନ୍ତି । ଏହି ଦିନ ସଧବା ସ୍ତ୍ରୀ ଲୋକମାନେ ଉପବାସ କରନ୍ତି । ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ ନିଜ ସ୍ୱାମୀଙ୍କ ଗୋଡ ଧୋଇ ସେହି ପାଣିକୁ ପାନ କରିବା ପରେ ମୁଣ୍ଡରେ ଲଗାଇ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳ ଆହାର କରନ୍ତି ।

କିମ୍ବଦନ୍ତୀ ଅନୁସାରେ, ମହାଭାରତ ମତେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍‌ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ଗାୟତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ସାବିତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।

ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତି ରୂପେ ମନୋନୀତ କରି ରାଜଉଆସକୁ ଫେରି ପିତାଙ୍କୁ ଜଣାଇଲେ । ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ । ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେଲା । ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ବା ମୃତ୍ୟୁ । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ । ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ । ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ । ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ । ଫଳରେ ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଯମରାଜ ଫେରିଗଲେ ।

Leave A Reply

Your email address will not be published.