ପଖନମୁଣ୍ଡାରେ ବନାଗ୍ନି ନିବାରଣ ସଚେତନତା ସଭା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କଣ୍ଟାବାଞ୍ଜି ବନାଞ୍ଚଳ କାର୍ଯ୍ୟାଳୟ ସୌଜନ୍ୟତାରେ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନାଗ୍ନି ନିବାରଣ ସଚେତନତା ସଭା ଓ ଗ୍ରୀଷ୍ମ ଋତୁରେ ମୁକାବିଲା କରିବା ଉପରେ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ତୁରେକେଲା ବନପାଳ ଗୋବର୍ଦ୍ଧନ ପଟେଲ ଯୋଗ ଦେଇଥିଲେ । ଶ୍ରୀ ଦାଶ ସଭାର ଆଭିମୁଖ୍ୟ ଓ ପରିଚାଳନା କରିଥିଲେ । ବନପାଳ ଶ୍ରୀ ପଟେଲ ବନାଗ୍ନିର କାରଣ ଓ ତାକୁ କିପରି ରୋକା ଯାଇ ପାରିବ ତାହାରି ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ । ପ୍ରକୃତି ବନ୍ଧୁ ଶ୍ରୀ ଦାଶ ଯହିଁ ଜଙ୍ଗଲ ତହିଁ ମଙ୍ଗଲ ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ପଖନମୁଣ୍ଡା ଗ୍ରାମ ପାହାଡ଼ ଓ ଛତରଡାଣି ଜଙ୍ଗଲ ମଧ୍ୟରେ ଅଛି ତେଣୁ ପ୍ରତି ଗ୍ରୀଷ୍ମ ଋତୁରେ ବନାଗ୍ନି ଦ୍ଵାରା ଅନେକ କ୍ଷୟକ୍ଷତି ଘଟିଥାଏ । ତେଣୁ ଜନ ସଚେତନତା ନିହାତି ଆବଶ୍ୟକ ବୋଲି କହିଥିଲେ । ତାପରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଛାତ୍ରଛାତ୍ରୀମାନେ ବାହାରକୁ ଗଲେ ଛତା, ଜୋତା, ପାଣି ବୋତଲ, ଓଦାକନା ଆଦି ସାଙ୍ଗରେ ନେବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ, ଭବାନୀ ମାଝୀ, ଲଳିତା ମାଝୀ, ଶ୍ୟାମସୁନ୍ଦର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.