ଖ୍ରୀଷ୍ଟିୟ ମଣ୍ଡଳିର ଉଦ୍ଦୀପନା ସଭାରେ ଯୋଗଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଝାଙ୍କରପାଲି ଠାରେ ଖ୍ରୀଷ୍ଟିୟ ସମାଜ ଦ୍ୱାରା ଝାଙ୍କରପାଲି ସିଏନ୍‌ଆଇ ମଣ୍ଡଳି ଆନୁକୂଲ୍ୟରେ ଦ୍ୱି ଦିବସୀୟ ଉଦ୍ଦୀପନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦୀପନା ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଉପସ୍ଥିତ ଖ୍ରୀଷ୍ଟିୟ ସମାଜର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ସେ କହିଥିଲେ ଆପଣମାନଙ୍କ ଏକତା ଓ ଦୃଢ ଇଚ୍ଛାଶକ୍ତି ବଳରେ ଆପଣମାନେ କେବଳ ନିଜ ସମାଜର ନୁହେଁ ସମଗ୍ର ଅଂଚଳର ସାମଗ୍ରିକ ବିକାଶକୁ ନିଶ୍ଚିତ କରିପାରିବେ । ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ମତେ ସହଯୋଗର ହାତ ବଢାଇଛନ୍ତି, ତେଣୁ ମୁଁ କୃତଜ୍ଞ । କଥା ଦେଉଛି ମୁଁ ବଂଚିଥିବା ଯାଏଁ ଆପଣମାନଙ୍କ ସେବାରେ ନିଜକୁ ନିୟୋଜିତ ରଖିବି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ଦେଶ ସ୍ୱାଧିନତା ପାଇଲା ପରେ ପ୍ରତ୍ୟେକ କ୍ଷେତ୍ରରେ ଦେଶ ବିକାଶ କରିଛି କିନ୍ତୁ ଦୁଃଖର ବିଷୟ ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ ସାମଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସାମଞ୍ଜସ୍ୟ ରହୁନାହିଁ । ଧନୀକ ଶ୍ରେଣୀ ଧନୀ ହେବାରେ ଲାଗିଛନ୍ତି ଓ ଗରିବ ଆହୁରି ଗରିବ ହେଉଛନ୍ତି, ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏହାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପ୍ରକାର ପ୍ରୟାସ କରୁନାହାନ୍ତି । ଏପରି ପରିସ୍ଥିତ ଜାରି ରହିଲେ ଆଗାମୀ ଦିନରେ ଦେଶରେ ଏହା ଏକ ବିରାଟ ସମସ୍ୟା ରୂପେ ସାମ୍ନାକୁ ଆସିପାରେ । ତେଣୁ ଏ ସବୁ ଦିଗରେ ସରକାର ତଥା ଜନସାଧାରଣ ସଚେତନ ହେବା ନିହାତି ଜରୁରି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଉଦ୍ଦୀପନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ଦ୍ରିୟ ଛତ୍ରିଆ, ମହେନ୍ଦ୍ର ତାଣ୍ଡି, ଜ୍ୟୋତି ବାଗ, ସଂଜୟ ଗଡତ୍ୟା, ମୟ ସାହୁ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.