ବଲାଙ୍ଗିର, (କେପିଏନ୍ଏସ୍) : ପ୍ରାଇଭେଟ୍ ଗାଡ଼ି ଭଡ଼ା କରି ବୁର୍ଲା ମେଡ଼ିକାଲରୁ ଶବ ଆଣିଲେ । ନିଜ ଗାଁ ବଂଗୋମୁଣ୍ଡା କୁଦୋମୁଣ୍ଡାକୁ ଯିବା କଥା । କିନ୍ତୁ ବଲାଙ୍ଗିର ହସ୍ପିଟାଲ୍ ସାମ୍ନାରେ ଗାଡ଼ିରେ ଶବ ଛାଡ଼ି ମୋ’ ମାଲିକ ଘରକୁ ଟଙ୍କା ଆଣିବାକୁ ଯାଉଛି କହି ଭୋର୍ ୪ଟାରୁ ଚାଲି ଯାଇଛନ୍ତି ସଂପର୍କୀୟ । ଗାଡ଼ିରେ ପଡ଼ିଛି ଶବ । ଜଗି ବସିଛନ୍ତି ଡ୍ରାଇଭର୍ । କିଛି ଉପାୟ ନପାଇ ଡ୍ରାଇଭର୍ ଏବେ ହସ୍ପିଟାଲ୍ ଫାଣ୍ଡିର ଦ୍ୱାରସ୍ଥ ହୋଇଛନ୍ତି । ସିସିଟିଭି କ୍ୟାମେରା ଆଧାରରେ ଶବ ଛାଡ଼ି ଫେରାର୍ ହୋଇଥିବା ସଂପର୍କୀୟ ଜଣକ ହରେକୃଷ୍ଣ ଯାଦବ ବୋଲି ପୋଲିସ ଚିହ୍ନଟ କରିଥିବା ଜଣାପଡ଼ିଛି । ଡ୍ରାଇଭର୍ଙ୍କ କହିବା ଅନୁସାରେ ଗତ ରାତିରେ ଜଣକର ମୃତ୍ୟୁ ହେବା ପରେ ତାଙ୍କୁ ଗାଡ଼ି ଭଡ଼ା ପାଇଁ କନ୍ଟାକ୍ଟ କରାଯାଇଥିଲା । ବଂଗୋମୁଣ୍ଡାର କୁଦୋମୁଣ୍ଡାକୁ ଶବ ନେବାର ଥିଲା । କିନ୍ତୁ ବଲାଙ୍ଗିର ହସ୍ପିଟାଲ୍ ପାଖରେ ମୋ’ ମାଲିକଙ୍କ ପାଖକୁ ଟଙ୍କା ଆଣିଯାଉଛି କହି ଗାଡ଼ିରେ ଶବ ଛାଡ଼ି ଚାଲିଯାଇଛନ୍ତି ସଂପର୍କୀୟ । ଏବେ ଏହି ଘଟଣାକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର୍ ଧରିଛି ।