ସମୁଦ୍ର କୂଳରୁ ଶବ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ବଡ଼ ନୋଳିଆ ନୂଆଗାଁ ନିକଟସ୍ଥ ସମୁଦ୍ର କୂଳରେ ପାରାଦୀପ ଅଞ୍ଚଳ ସମୁଦ୍ରରୁ ନିଖୋଜ ହୋଇଥିବା ମତ୍ସ୍ୟଜୀବୀଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳେ ସମୁଦ୍ର କୂଳରେ ଏକ ବ୍ୟକ୍ତିର ଶବ ଲାଗିଥିବା ନେଇ ଅଞ୍ଚଳବାସୀ ଦେଖିବା ପରେ ଗଞ୍ଜାମ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ବିଗତ ୧୯ ତାରିଖ ରବିବାର ଦିନ ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ ଦୁଇଜଣ ମତ୍ସ୍ୟଜୀବୀ ଦେଶି ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ତଦନ୍ତ ବେଳେ ଗଞ୍ଜାମ ପୋଲିସ ଉଦ୍ଧାର କରିଥିବା ମୃତବ୍ୟକ୍ତି ଜଣଙ୍କ ଷଣ୍ଢକୁଦରୁ ନିଖୋଜ ହୋଇଥିବା ମତ୍ସ୍ୟଜୀବୀ ଡି.କାମରାଜୁ ବୋଲି ଜଣାପଡିଛି । ମୃତବ୍ୟକ୍ତିଙ୍କ ପରିବାର ପହଞ୍ଚି ଶବ ଚିହ୍ନଟ କରିବା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହତାନ୍ତର କରାଯାଇଥିବା ବେଳେ ଶବଟିର ବ୍ରହ୍ମପୁର ଗୋଲ୍ଲା ପଲ୍ଲୀ ଶ୍ମଶାନରେ ଶେଷ କୃତ୍ୟ କରାଯାଇଥିବା ଜଣାପଡ଼ିଛି । ଗଞ୍ଜାମ ଥାନା ପୋଲିସ ପକ୍ଷରୁ ୭/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଏଏସ୍‌ଆଇ ଏସଏନ୍ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.