ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତାରେ ଥିବା ରେଲୱେ ଓଭରବ୍ରିଜ ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ମୃତ ଅବସ୍ଥାରେ ବଲାଙ୍ଗିର ଜିଆର୍‌ପି ପୋଲିସ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପାଇ ବଲାଙ୍ଗିର ଜିଆର୍‌ପି ଥାନାରେ ଏକ ମାମଲା ରୁଜୁ କରି ଜିଆର୍‌ପି ପୋଲିସ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଥିଲା । ମୃତ ମହିଳାଙ୍କ ପରିଚୟ ସନ୍ଧାନରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରରେ ଶବକୁ ଜିଆର୍‌ପି ପୋଲିସ ୯୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲା । ପରେ ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବାରୁ ଜିଆର୍‌ପି ପୋଲିସ ଏହି ଅଜ୍ଞାତ ଶବର ସତ୍କାର ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲା । ଖବର ପାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସ୍ଵର୍ଗରଥ ଧରି ଶବ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲେ । ସମସ୍ତ ଔପଚାରିକତା ପରେ ଜିଆର୍‌ପି ପୋଲିସର ଉପସ୍ଥିତିରେ ସଂଗଠନର ସଦସ୍ୟମାନେ ଶବକୁ ସଂରକ୍ଷଣ କେନ୍ଦ୍ରରୁ ବାହାର କରି ସ୍ୱର୍ଗ ରଥ ଯୋଗେ ବିଭୁତିପଡା ଶ୍ମଶାନକୁ ନେଇଥିଲେ । ସେଠାରେ ସସମ୍ମାନେ ସେହି ଅଜ୍ଞାତ ମହିଳାଙ୍କ ଅନ୍ତିମ ସତ୍କାର ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା କରାଯାଇଥିଲା । ଏହି ଅନ୍ତିମ ସତ୍କାର କାର୍ଯ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଏମ୍.ଡି. ବବଲୁ ଓ ରାହୁଲ ବାଗ ଏବଂ ସ୍ଥାନୀୟ ଧର୍ମେନ୍ଦ୍ର କୁମ୍ଭାର ସହଯୋଗ କରିଥିବା ବେଳେ ଆବଶ୍ୟକୀୟ କାଠ ଓ ଅନ୍ୟାନ୍ୟ ଉପଯୁକ୍ତ ସାମଗ୍ରୀ ଯୋଗାଇବାରେ ଯୁବ ସମାଜସେବୀ ଟୁନା ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.