ଶ୍ରମ ପାଇଁ ଶ୍ରମିକ ଭାବେ ଯାଇଥିଲେ, ଶବ ହୋଇ ଫେରିଲେ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ଥମୁନି ଦାଦନ ଦୁଃଖ । ଶ୍ରମ ପାଇଁ ଦାଦନ ଶ୍ରମିକ ଭାବେ କେରଳକୁ ଯାଇଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଥାନା ଯୁବାଙ୍ଗ ଗ୍ରାମର ଜନୈକ ଶ୍ରମିକଙ୍କ ମୃତଦେହ ଶବ ହୋଇ ସୋମବାର ଭିଟାମାଟିକୁ ଫେରିଛି । ମୃତଦେହ ଗାଁରେ ପହଞ୍ଚିବାପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଗୁଣପୁର ଥାନା ଜୁବାଙ୍ଗ ଗ୍ରାମର ଉଦୟ ମାଝୀ ନାମକ ଜନୈକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳକୁ ଯାଇଥିଲେ । ସେଠାରେ କୋଝିକୋଡିର କାକ୍କୋଡିରେ ଏକ ଠିକା ସ଼ଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ କାମ କରୁଥିବା ବେଳେ ଗତ ୧ ତାରିଖ ଦିନ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ସ୍ଲାବ ତଳେ ଉଦୟ ମାଝୀ ଚାପି ହୋଇ ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡ ଉପରେ ସ୍ଲାବ୍ ପଡ଼ିବା ପରେ ସେ ପ୍ରାୟ ଅଧ ଘଣ୍ଟା ଫସି ରହିଥିଲେ । ପୋଲିସ ପ୍ରଶାସନ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବାପରେ ଡାକ୍ତର ଉଦୟଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ସକାଳେ ଉଦୟଙ୍କ ମୃତଦେହ ନିଜ ଜନ୍ମମାଟିକୁ ଫେରିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା । ପରିବାର ଏବଂ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା । ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସରକାର ପରେ ସରକାର ବଦଳୁଛି । କିନ୍ତୁ ବଦଳୁ ନାହିଁ କଳାହାଣ୍ଡି ଶ୍ରମିକଙ୍କ ଭାଗ୍ୟ । ରାଜ୍ୟ ବାହାରକୁ ଯାଉଥିବା କଳାହାଣ୍ଡିର ଶ୍ରମିକ କେବେ ହାତ ପାପୁଲି କଟା ହୋଇ ଫେରୁଛି ତ କେବେ ଶବ ହୋଇ ଫେରୁଛି । କେତେବେଳେ ଦଲାଲ ମାନଙ୍କ ଶୋଷଣର ଶୀକାର ହେଉଥିବାବେଳେ କେବେ କେବେ ନିର୍ଯ୍ୟାତନାର ଶୀକାର ହେଉଛି । ନିଖୋଜ ଶ୍ରମିକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେବେ ଶ୍ରମିକ ମାନଙ୍କୁ ନିଜ ଅଞ୍ଚଳରେ ଆବଶ୍ୟକ ମୁତାବକ କାମ ମିଳିବ ଏବଂ କେବେ ଦାଦନ ଦୁଃଖ କମିବ ତାକୁହିଁ ଶ୍ରମିକ ମାନଙ୍କ ଅପେକ୍ଷା ।

Leave A Reply

Your email address will not be published.