୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ

  • ଆଜି ଦ୍ୱିତୀୟ ଦିନରେ ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
  • ସମୟର ଠିକ୍‌ ଉପଯୋଗ କର, ସବୁବେଳେ ଆଗରେ ରହିବ – ପିଲାଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
  • ମୁଁ ମୁଖ୍ୟମନ୍ତ୍ରୀ ହେବି – କୋରାପୁଟର ଛାତ୍ରୀ ବିଷ୍ଣୁପ୍ରିୟା
  • ଆମେ ଏବେ ବଡ ବଡ ସ୍ୱପ୍ନ ଦେଖିପାରୁଛୁ, ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି – ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆମେ ଏବେ ବଡ ବଡ ସ୍ୱପ୍ନ ଦେଖିପାରୁଛୁ ଏବଂ ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମତରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । କୋରାପୁଟ ଜିଲ୍ଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ବଡ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ସେବା କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ବଲାଙ୍ଗିର ଛାତ୍ରୀ ଦୀପାଞ୍ଜଳି ବେହେରା ବଡ ହେଲେ ପାଇଲଟ ହେବାକୁ ଚାହିଁଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁ ବାବୁଙ୍କ ସଂପର୍କରେ ଏକ ପୁସ୍ତକ ପ୍ରଦାନ କରାଯିବ ବୋଲି କହିଥିଲେ ।

ସେହିପରି ସମ୍ବଲପୁରର ଜଣେ ଛାତ୍ରୀ ବାଗ୍ମୀ ବିଶ୍ୱଜିତା ସାହୁ ଆଇ.ଏ.ଏସ ଅଫିସର ହେବାର ଇଚ୍ଛା ପ୍ରକଟ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁମାନେ ଆଇଏଏସ ବା ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆଇଏଏସ ବା ଆଇପିଏସ ଅଫିସରମାନଙ୍କ ସହିତ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ପିଲାମାନେ ଅଧିକ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୁରୀ ଜିଲ୍ଲାର ଛାତ୍ରୀ ପୂଜାରିଣୀ ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ କେନ୍ଦ୍ରାପଡାର ମୁବାସରା ନୁର୍ ବଡ ହେଲେ ଡାକ୍ତର ହେବାର ଆଶା ରଖିଥିଲେ । ପିଲାମାନଙ୍କ ଏହି ଉଚ୍ଚ ଆଶା ମୁଖ୍ୟମନ୍ତ୍ରୀଙ୍କୁ ବେଶ ପ୍ରଭାବିତ କରିଥିଲା । ଆଜିର ପିଲାମାନେ ଆଗାମୀ ଦିନରେ ଓଡିଶାର ଟେକ ରଖିବେ ବୋଲି ସେ ଦୃଢ ବିଶ୍ୱାସ ପୋଷଣ କରିଥିଲେ ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଆଜି ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି ଓ କେନ୍ଦ୍ରାପଡା ଜିଲ୍ଲାର ୫୬ଟି ହାଇସ୍କୁଲ ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ ସମୁଦାୟ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ୱ ଦେବକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ସମୟର ଗୁରୁତ୍ୱ ସଂପର୍କରେ ସମସ୍ତେ ଜାଣିଛନ୍ତି । ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ । ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ୱାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ସେ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଦ୍ୱିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ । କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ । ସେହିପରି ଜୀବନରେ ସାଧୁତା (Transparency) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ୱାରା ମଣିଷର ବିଶ୍ୱସନୀୟତା ବୃଦ୍ଧି ପାଏ । ଏସବୁର ପ୍ରୟୋଗ ଦ୍ୱାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି । ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ରକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ୱଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ । ସମୟକୁ ଗୁରୁତ୍ୱ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ କାମରେ ପ୍ରତି ସ୍ତରରେ ସ୍ୱଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି । ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ୱଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ୱାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।

କାର୍ଯ୍ୟକ୍ରମରେ ଉପସ୍ଥିତ କୋରାପୁଟ ଜିଲ୍ଲାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବଲାଙ୍ଗିରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ବଲପୁରରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କେନ୍ଦ୍ରାପଡାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସେମାନଙ୍କ ମତାମତ ରଖି ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ୱଳ କରିବ ବୋଲି ମତ ଦେଇଥିଲେ । ଦୃଢ ଶିକ୍ଷା ଭିତ୍ତିଭୂମି ପିଲାମାନଙ୍କୁ ସବୁ କ୍ଷେତ୍ରରେ ସଫଳ କରିବ ବୋଲି ଆଶା ପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ମନ୍ତ୍ରୀ ସମୀର ଦାଶ କରିଥିଲେ ଯେ ଆଜି ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କ ଆକର୍ଷଣ ବୃଦ୍ଧି ପାଉଛି । ରାଜ୍ୟର ୮୧ ପ୍ରତିଶତ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ପାଇଛି ବୋଲି ପ୍ରକାଶ କରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ଶିକ୍ଷାପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦ୍ଦେଶ ଦେଉଛନ୍ତି, ସେଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.