ବତ୍ୟା ‘ଦାନା’ର ଅବପାତ ରୂପ ଧାରଣ

  • ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ଜୁଆର, ଗୋପାଳପୁର ବନ୍ଦରରେ ସ୍ଵାଭାବିକ ଠାରୁ ଅଧିକ ଜୁଆର ଆସିବା ସମ୍ଭାବନା – ଆଇଏମ୍‌ଡି- ଡିଜି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବତ୍ୟା ‘ଦାନା’ ଅବପାତ ରୂପ ଧାରଣ କରିଛି । ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ଜୁଆର ମାଡି ଆସୁଛି, ଲୋକଙ୍କ ମନରେ ଭୟର ଆତଙ୍କ ସୃଷ୍ଟି କରିଛି । ବାତ୍ୟାକୁ ନେଇ ଆଇ.ଏମ୍‌.ଡି. -ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି । ଆଇଏମ୍‌ଡି ଡିଜି କହିଛନ୍ତି, ଆସନ୍ତାକାଲି ସକାଳେ ଅବପାତ ଏବଂ ୨୩ରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦ କିମି ବେଗରେ ପବନ ବୋହି ପାରେ । ଆଇ.ଏମ୍‌.ଡି.- ଡିଜି ଆହୁରି କହିଛନ୍ତି, ଏକ ‘ଭୀଷଣ ବାତ୍ୟା’ର ରୂପ ନେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଝଡ଼ ଓ ପବନ ବୋହିବ । ବାତ୍ୟା ହେଲେ ଜୁଆର ଆସିବା ସ୍ୱାଭାବିକ କଥା । ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଜୁଆର ଆସିବା ସମ୍ଭାବନା ରହିଥିବା ନେଇ ଡିଜି ସ୍ପଷ୍ଟ କରିଛନ୍ତି । ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାକୁ ହିଟ୍‌ କରିବ । ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବୋହି ପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଅଧିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଉଛି । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଉପକୂଳରେ ସମୁଦ୍ରରେ ଜୁଆର ୧ ମିଟରରୁ ୨ ମିଟର ଅଧିକ ରହିବ । ଜଗତସିଂହପୁର ଜିଲ୍ଲାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କେନ୍ଦୁଝର, ପୁରୀ, ଖୋର୍ଦ୍ଧାରେ ୬୦ରୁ ୮୦ କିମି ବେଗରେ ପବନ ବହିବ । ସୁନ୍ଦରଗଡରେ ୫୦ରୁ ୭୦ କିମି, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ନୟାଗଡ, ଗଞ୍ଜାମରେ ୪୦ରୁ ୬୦ କିମି ବେଗରେ ପବନ ବହିବ । ସମୁଦ୍ରଉପକୂଳବତ୍ତୀ ଓ ତଟବତ୍ତୀ ସଲଂଗ୍ନ ଜିଲ୍ଲାଗୁଡ଼ିକରେ ଦୁଇ ଦିନ ଅତିପ୍ରବଳ ବର୍ଷା ହେବ । ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ପଡ଼ିବ । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି ।

Leave A Reply

Your email address will not be published.