ଆରଟିଓ ଦଲାଲଗିରିରେ ସମ୍ପୃକ୍ତ ଅଟକ ୪ଜଣଙ୍କୁ ଧାରା ୪୧-(କ)ରେ ଛାଡି ଦିଆଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆଞ୍ଚଳିକ ପରିବହନ ଛତ୍ରପୁର କାର୍ଯ୍ୟାଳୟର ଡ୍ରାଇଭିଂ ତାଲିମ ପରୀକ୍ଷା କେନ୍ଦ୍ର ଅଗସ୍ତିନୂଆଗାଁ ତଥା ଆର.ଟି.ଓ. କାର୍ଯ୍ୟାଳୟ ପରିସରରେ ଦଲାଲଗିରିରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଛତ୍ରପୁର ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଛତ୍ରପୁର ଥାନା ପୋଲିସ ମଙ୍ଗଳବାର ଧରି ଆଣି ସେମାନଙ୍କୁ ଅଟକ ରଖିଥିଲେ । ଶେଷରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଟକ ୪ଜଣଙ୍କୁ ଧାରା ୪୧-(କ)ରେ ଛାଡି ଦିଆଯାଇଥିବା ଆଇ.ଆଇ.ସି. ନିରୋଦ କୁମାର ଦାସ ମିଡ଼ିଆକୁ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ପୋଲିସ ତଦନ୍ତ କରି ଯଦି ଦୃଷ୍ଟ-ସ୍ୱଦ୍ଭାବ ହୋଇଥାନ୍ତି, ତେବେ ସେମାନଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି, କିମ୍ବା ସାଧାରଣ ସ୍ୱଭାବର ହୋଇଥିଲେ ପୋଲିସ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଜଣାଯାଇଛି । ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ସନ୍ଦିଗ୍ଧ ୪ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା । ସେମାନେ ୪ଜଣ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବିନ୍ଦ୍ର କୁମାର ଗୌଡ, ବ୍ରହ୍ମପୁର ସହର ବାସିନ୍ଦା ପି. ଚନ୍ଦ୍ରଶେଖର ଏବଂ ଛତ୍ରପୁର ବାଇପାସ ନିକଟସ୍ଥ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ବସ୍ତି ଅଞ୍ଚଳରେ ରହୁଥିବା ମହମ୍ମଦ ଆଲ୍ଲାଉଦ୍ଦିନ ପ୍ରମୁଖଙ୍କ ନାମରେ ଛତ୍ରପୁର ପୋଲିସ ଥାନା ଡ଼ାଏରୀ ରେକର୍ଡରେ ଚଢିଛି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଲକ୍ଷ୍ୟରେ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପୋଲିସ ପ୍ରଶାସନ ତାଙ୍କରି ପ୍ରତି କାର୍ଯ୍ୟାନୁଷ୍ଠାନ ଦିଗରେ କୋହଳ କରିଥିବା ଜଣାଯାଇଛି । ମଙ୍ଗଳବାର ଛତ୍ରପୁର ଥାନା ପରିସରରେ ଏନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ.ଡ଼ି.ପି.ଓ. ଗୌରହରି ସାହୁ ଗଣମାଧ୍ୟମକୁ ଡକାଇ ଫର୍ଦ୍ଦାଫାଶ କରିଥିଲେ । ଛତ୍ରପୁର ଏସ୍‌ଡ଼ିପିଓ ଗୌରହରି ସାହୁ ଏ ସମ୍ପର୍କରେ ପ୍ରେସ-ମିଟ୍‌ରେ ସୂଚନା ଦେଇ କହିଥିଲେ । ପରିବହନ ବିଭାଗ ପକ୍ଷରୁ ଦିଆଯାଉଥିବା ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ-ରିନ୍ୟୁ, ଟିକସ ପଇଠ କରିବା ପାଇଁ ଦଲାଲମାନଙ୍କ ମାଧ୍ୟମରେ ଗଲେ ଯାଇ ହିଁ କାର୍ଯ୍ୟ ହାସଲ ହେଉଥିଲା ବୋଲି କୁହାଯାଏ । ଏନେଇ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରି ଚାରି ଦଲାଲଙ୍କୁ କାବୁ କରି ଧରିବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ, ଫିଟନେସ ସମ୍ବଦ୍ଧୀୟ ବହୁ କାଗଜପତ୍ର ଜବତ କରିଛି । ଆର.ସି ବୁକ୍‌ ୭ଟି, ଲେର୍ଣିଂ ଲାଇସେନ୍ସ ୮ଟି, ଡିଏଲ-୧୨ଟି, ଗାଡି ଫାଇନାନ୍ସରୁ ଆଣିଥିବା ୨ଜଣଙ୍କର କାଗଜପତ୍ର, ୪ଟି ମୋବାଇଲ, ୪ଟି ବାଇକ ଛତ୍ରପୁର ଥାନା ପୋଲିସ ଜବତ କରିଥିବା କୁହାଯାଇଛି ।

Leave A Reply

Your email address will not be published.