ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଛତୁଚାଷ ତାଲିମ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଦୁଇ ଦିନିଆ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ସେକ୍ଟର ୫ସ୍ଥିତ ଗୋଲଘର ବିଶ୍ୱଭାରତୀ ବିଦ୍ୟାମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ଷ୍ଟିଲ ସିଟିର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭାପତିତ୍ୱ ଓ ଛତୁ କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରୀଆନ କୁମାର ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୮ଟି ସ୍ୱୟଂସହାୟକ ଗୋଷ୍ଠୀର ୫୦ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଶ୍ରୀ ବେହେରା ଓ ସହଯୋଗୀ ଅଧ୍ୟକ୍ଷା ତଥା ତାଲିମଦାତା ରୋଟାରୀଆନ ଗୌରୀ ନାଗ ଉପସ୍ଥିତ ମହିଳାମାନଙ୍କୁ ଛତୁର ଉପାଦେୟତା, ଉପକାରିତା ତଥା କିପରି ସ୍ୱାବଲମ୍ବୀ ହୋଇପାରିବ ସେ ସଂପର୍କରେ ଆଲୋଚନା କରିବା ସହ ଛତୁଚାଷ ପ୍ରଣାଳୀ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଏହାସହ ଛତୁଚାଷ ପାଇଁ ବେଡ ପ୍ରସ୍ତୁତ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିପଦତାରିଣୀ ଏସ୍‌ଏଚ୍‌ଜି ଗୃପର ପ୍ରମିଳା ସୁରିନ ଏବଂ ସ୍ୱର୍ଣ୍ଣମୟୀ ଗୃପର ବାସନ୍ତୀ ବାରିକ ସହଯୋଗ କରିଥିଲେ । ରୋଟାରୀ କ୍ଲବର ସଂପାଦିକା ରୋଟାରୀଆନ ପିହୁ ଗୁହାରି, ଉପଦେଷ୍ଟା ଅଞ୍ଜନା ମୈତ୍ର, ବୀଣାପାଣି ରଥ, ଲଳିତା ମୁଦୁଲି, ସନ୍ଧ୍ୟା ରାଣୀ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏସ୍‌ଏଚ୍‌ଜି ଗୃପମାନଙ୍କ ମଧ୍ୟରେ ସ୍ୱର୍ଣ୍ଣମୟୀ, ନାରୀଶକ୍ତି, ଜୟ ବଜରଙ୍ଗବାଲୀ, ବିପଦତାରିଣୀ, ଶ୍ରୀ ଗଣେଶ, ମା’ ଘଣ୍ଟେଶ୍ୱରୀ, ମା ତାରାତାରିଣୀ, ମା ଦୁର୍ଗା, ସରସ୍ୱତୀ, ଜୟ ମା ତାରିଣୀ, ଲକ୍ଷ୍ମୀ, ମା ସନ୍ତୋଷୀ, ଶିବଗୁରୁ, ନାରାୟଣୀର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.