ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ । ଦୁହେଁ ସୁନାମଧନ୍ୟ କଳାକାର । ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ । ଅଗଣିତ କଳାପ୍ରେମୀଙ୍କ ହୃଦୟରେ ବସା ବାନ୍ଧିଥିବା ରୋଶନ-ମୁନିଆ ଦୁହେଁ ଦୁହିଁଙ୍କ ପାଇଁ ଏଣୁ ଏଣିକି ସଜେଇବେ ସ୍ୱପ୍ନ ଓ ବାସ୍ତବତାର ତାଜ୍‌ମହଲ । ଛୋଟ ଚଳଚ୍ଚିତ୍ରରୁ ବଡ ଓଲିଉଡ ଚଳଚ୍ଚିତ୍ରରେ ଅଭିନୟ କରି ମୁନିଆ ପାଣିଗ୍ରାହୀ ଓ ରୋଶନ ଭରଦ୍ୱାଜ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି । ସତ କହିବାକୁ ଗଲେ ଛୋଟ ଛୋଟ ନିତ୍ୟ ନିୟମିତ ଘଟୁଥିବା କାହାଣୀକୁ ଗୋଟାଇ କଥାଚିତ୍ରରେ ବେଶ୍‌ ଜୀବନ୍ତ ଭାବେ ଏହି ଯୋଡି ପରିବେଷଣ କରି ଆସିଛନ୍ତି । ସୋସିଆଲ୍‌ ମିଡିଆରେ ଏହାର ଦୃଷ୍ଟାନ୍ତ ବେଶ ପ୍ରଖର । ପତି ପତ୍ନୀ ଭାବେ ଦୁହିଁଙ୍କ ଅଭିନୟ ଅତ୍ୟନ୍ତ ନିଖୁଣ ଓ ଆକର୍ଷଣୀୟ । ଏବେ ରିଏଲ୍‌ ଲାଇଫ୍‌ରେ ଦୁହେଁ ଲାଇଭ୍‌ ପାର୍ଟନର ସାଜିଛନ୍ତି । ପାରିବାରିକ ସ୍ୱୀକୃତି ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ରୋଶନ ସୋନପୁର ଜିଲ୍ଲାକୁ ବର ବେଶରେ ଯାଇ ବୈଦିକ ରୀତିନୀତିରେ ମୁନିଆ ପାଣିଗ୍ରାହୀଙ୍କ ହାତ ଧରିଛନ୍ତି । ଏହି ସୁପର୍‌ହିଟ୍‌ ଯୋଡି ଆଗକୁ ଆହୁରି ଅଭିନୟ କ୍ଷେତ୍ରରେ କମାଲ୍‌ ଦେଖାଇବେ ବୋଲି କଳାପ୍ରେମୀ ଜଗତରେ ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.