ରୋପୱେ ନିର୍ମାଣ ଦାବୀରେ ହରିଶଙ୍କରଠାରେ ଜଳ ସତ୍ୟାଗ୍ରହ

ପାଟଣାଗଡ, (ଗୋରେଖନାଥ ବରିହା) : କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କରଠାରେ ଏକ ଜଳ ସତ୍ୟାଗ୍ରହ ହୋଇଯାଇଛି । ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପ୍ରାୟ ୫୦ଟି ମୋଟର ସାଇକେଲ ଯୋଗେ ସତ୍ୟାଗ୍ରହୀମାନେ ଗନ୍ଧମାର୍ଦ୍ଦନ ବଞ୍ଚାଅ ସ୍ଲୋଗାନ ଦେଇ ହରିଶଙ୍କରଠାରେ ପହଞ୍ଚି ଥିଲେ । ହରିଶଙ୍କରଠାରୁ ନୃସିଂହନାଥ ପର୍ଯ୍ୟନ୍ତ ଏକ ରୋପୱେ ତିଆରି ପାଇଁ ସରକାର ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ମଧ୍ୟ ପରିଦର୍ଶନ କରି ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ । ହେଲେ ପରବର୍ତୀ ସମୟରେ ଏହି ପ୍ରକଳ୍ପକୁ ସରକାର ପ୍ରତ୍ୟାହୃତ କରିଥିଲେ । ରୋପୱେ ହେଲେ ହରିଶଙ୍କରଠାରୁ ନୃସିଂହନାଥକୁ ଗମନାଗମନ ଦୂରତା କମି ଯିବା ସଂଗେ ଏ ଅଞ୍ଚଳର ପର୍ଯ୍ୟଟନର ବିକାଶ ହେବ । କିନ୍ତୁ ଗନ୍ଧମାର୍ଦ୍ଦନ ପର୍ବତରେ ଗଚ୍ଛିତ ବକସାଇଟ ଉପରେ ସରକାରଙ୍କ ଲୋଲୁପ ଦୃଷ୍ଟି ଥିବାରୁ ସରକାର ରୋପୱେ କରାଇ ଦେଉନାହାନ୍ତି ବୋଲି ସତ୍ୟାଗ୍ରହୀ ମାନେ ମତ ଦେଇଥିଲେ । ଶୁଶିଲ ଗୁରୁ, ଡିଙ୍ଗର କୁମ୍ଭାର, ଚିନ୍ମୟ ସାହୁ ଆଉ ଅନ୍ୟମାନେ ପାପ ନାଶିନୀ ଧାରର ଜଳକୁଣ୍ଡରେ ଦୀର୍ଘ ସମୟ ଧରି ଦଣ୍ଡାୟମାନ ରହି ସତ୍ୟାଗ୍ରହ କରିଥିଲେ । ଖପ୍ରାଖୋଲ ତହସିଲଦାର ଆସି ସତ୍ୟାଗ୍ରହୀମାନଙ୍କୁ ବୁଝାଇବାରେ ଅସଫଳ ହୋଇଥିଲେ । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସତ୍ୟାଗ୍ରହୀ ମାନେ ଜିଦ୍ ଧରିଥିଲେ । ଆନ୍ଦୋଳନକୁ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ତଥା ଶହଶହ କୋଶଲ ପ୍ରେମୀ ସମର୍ଥନ କରିଥିଲେ ।

Leave A Reply

Your email address will not be published.

error: Content is protected !!