ଜରୁରୀକାଳୀନ ସୁବିଧାରୁ ବଞ୍ଚିତ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର : ରୋଗୀ ହନ୍ତସନ୍ତ, ତୁରନ୍ତ ପ୍ରତିକାର ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା । ଗାଁ ଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା । ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା । ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳଶୂନ । କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ଶୌଚାଳୟ କି ପରିସ୍ରାଗାର । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । କହିବାକୁ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ନାହିଁ ନାହିଁରେ ଚାଲିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର । ଟୋପାଏ ପିଇବା ପାଣି ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି । ଗୋଟିଏ ପରିସ୍ରାଗାର କି ଶୌଚାଳୟ ମଧ୍ୟ ନାହିଁ । କଳିଙ୍ଗା ଗ୍ରାମପଞ୍ଚାୟତରେ ପ୍ରାୟ ୨୦ଟି ୱାର୍ଡ ଅବସ୍ଥିତ । ଏହା ଘୁ.ଉଦୟଗିରି ବ୍ଲକର ସବୁଠାରୁ ବଡ଼ ପଞ୍ଚାୟତ ଅଟେ । ଏହି ପଞ୍ଚାୟତରେ ପ୍ରାୟ ୧୨,୦୦୦ରୁ ଅଧିକ ଲୋକ ବସବାସ କରନ୍ତି । ନିକଟରେ ଛୋଟଛୋଟ ପିଲାଙ୍କର ହଷ୍ଟେଲ ଗୁଡ଼ିକ ଓ ବିଇଡି କଲେଜ, ସିଟି ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ଏକ ମାତ୍ର ଭରସା କଳିଙ୍ଗା ଡିଏଭିଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) । ହେଲେ ଅତି ଦୁଃଖର ବିଷୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ନିମନ୍ତେ ଏଠାରେ କୌଣସି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ । ଅତି ପୁରାତନ ଏକ ନଳକୂପ ଅଛି କିନ୍ତୁ ସେଥିରୁ ବ୍ୟବହାର ଅନୁପଯୋଗୀ କାଦୁଅ ପାଣି ବାହାରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ବ୍ୟବହାର ନିମନ୍ତେ ନିହାତି ଆବଶ୍ୟକ ଏକ ଶୌଚାଳୟ ଟିଏ ମଧ୍ୟ ନାହିଁ । ଲୋକେ ମେଡିକାଲ ପରିସର ମଧ୍ୟରେ କାନ୍ଥରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଯାନବାହାନ ରଖିବା ନିମନ୍ତେ ପାର୍କିଂର କୌଣସି ସୁବିଧା ମଧ୍ୟ କରାଯାଇନାହିଁ । ଏ ସମ୍ପର୍କରେ କଳିଙ୍ଗାବାସୀ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଏବଂ ଅଧିକାରୀମାନେ ଯଥାଶୀଘ୍ର କରିବା ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ଆଜକୁ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଏଣୁ ଯଥାଶୀଘ୍ର କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଥିବା ମୌଳିକ ସମସ୍ୟାର ଯଥାଶୀଘ୍ର ସମାଧାନ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.