ବରିଷ୍ଠ ନାଗରିକଙ୍କୁ ରେଳରେ ପୂର୍ବଭଳି ରିହାତି ବ୍ୟବସ୍ଥା ପ୍ରଚଳନ ପ୍ରସଙ୍ଗ : ଏଚ୍‌ଏମ୍‌ଏସ୍‌ ଦାବୀ ପରେ ଗଠନ ହେଲା ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ପୂର୍ବପରି ରିହାତିର ବ୍ୟବସ୍ଥା ପୂନର୍ବାର ଚାଲୁ କରିବା ପାଇଁ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥଙ୍କ ସମେତ ବହୁ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବୀ କରିବା ପରେ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ଏ ସମ୍ପର୍କରେ ପୁନରାୟ ବିଚାର କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସମ୍ପ୍ରତି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏହି ସମସ୍ୟାର ପୁନରାୟ ବିଚାର କରି ପୁନଃ ରିହାତି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରସଙ୍ଗତଃ ବିଗତ ୨୦ ବର୍ଷ ହେବ ଚାଲୁ ହୋଇଥିବା ଟ୍ରେନରେ ବରିଷ୍ଠ ନାଗରିକ ଯେଉଁମାନଙ୍କର ବୟସ ୬୦ରୁ ଅଧିକ ସେମାନଙ୍କ ପାଇଁ ଏହି ରିହାତିର ବ୍ୟବସ୍ଥା ଥିଲା । କୋଭିଡ-୧୯ ମହାମାରୀ ଆଳରେ ଏହାକୁ ସ୍ଥଗିତ ରଖିଥିଲେ ମୋଦୀ ସରକାର । ଏହା ପରେ ଆଉ ଚାଲୁ କରାଯାଉନାହିଁ । କେନ୍ଦ୍ର ସରକାର ଏହା ଏକ ଜନକଲ୍ୟାଣ ଯୋଜନା ହୋଇଥିଲେ ମଧ୍ୟ ରେଳ ବିଭାଗ କ୍ଷତି ସହୁଥିବା କଥା ଉଲ୍ଲେଖ କରୁଛନ୍ତି । ଅପରପକ୍ଷରେ ମୋଦୀ ସରକାର ଶାସନକୁ ଆସିବା ପରେ ତାଙ୍କର ଦୁଇ ବନ୍ଧୁଙ୍କୁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଛାଡ଼ କରିବା ଘଟଣା ଆଲୋଚ୍ୟର ବିଷୟ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ କେତେଦୂର ଯଥାର୍ଥ ତାହା ବିଚାର କରିବା ସମୟ ଆସିଛି । ଏଠାରେ ଉଲ୍ଲେଖ କରାଯାଇପାରେ, ଜାତିସଂଘର ସମ୍ମିଳନୀ ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ୨୦୦୭ରେ ଏକ ଆଇନ ପ୍ରଣୟନ କରାଯାଇଛି । ତେବେ ବର୍ତ୍ତମାନ ରେଳ ଟିକେଟ ଉପରେ ରିହାତି ବନ୍ଦ କରିବା ସେମାନଙ୍କ ଅଧିକାରକୁ ଉଲ୍ଲଂଘନ କରାଯାଇଛି । ବିଡ଼ମ୍ବନାର ବିଷୟ ଯେ ବିଧାୟକ, ସାଂସଦ, ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ରିହାତି ଦିଆଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ପ୍ରତି ଅବହେଳା କରିବା ଅନ୍ୟାୟ ଅଟେ । କର୍ମ ଜୀବନରେ ଯେଉଁମାନେ ଦେଶର ସେବା କରିଛନ୍ତି, ସେମାନଙ୍କ ଅବସର ଜୀବନରେ ସେମାନେ ମର୍ଯ୍ୟାଦା ଓ ସମ୍ମାନର ସହ ରେଳରେ ସୁଲଭ ମୂଲ୍ୟରେ ଯାତାୟତ ଯେପରି କରିପାରିବେ ତାହା ସରକାର ଦୃଷ୍ଟି ଦେବା ଉଚିତ । ଏଣୁ ତୁରନ୍ତ ଏହି ବ୍ୟବସ୍ଥାକୁ ଫେରାଇ ଆଣିବାକୁ ଉପସଭାପତି ଶ୍ରୀ ରଥ ଦାବୀ କରିଛନ୍ତି ।

Leave A Reply

Your email address will not be published.