oom

ଧାନ କିଣାରେ ଅନିୟମିତତା ଅଭିଯୋଗ : ରାଇସ୍‌ ମିଲ୍‌ ଉପରେ ଚଢ଼ାଉ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନ କିଣାରେ ଅନିୟମିତତା ଅଭିଯୋଗରେ ଏକ ରାଇସ୍‌ ମିଲ୍‌ ଉପରେ ଚଢ଼ାଉ ହୋଇଥିବା ନଜର୍‌କୁ ଆସିଛି । ସୋମବାର ଦିନ ୩ଟା ସମୟରେ ତୁଷରା ନିକଟସ୍ଥ ଡଙ୍ଗାପଥର ନିକଟରେ ଥିବା ବିକାଶ ରାଇସ ମିଲକୁ ବଲାଙ୍ଗିର ଜିଳ୍ଲାପାଳଙ୍କ ନିର୍ଦେଶରେ ୪ ଜଣିଆ ଏକ ଟିମ୍‌ ଚଢ଼ାଉରେ ଆସି ଷ୍ଟକ୍‌ ଯାଞ୍ଚ କରିଥିବା ଜଣାପଡ଼ିଛି । ଏନେଇ ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ କେସ୍‌ ନଂ ୧୬/ ୧୪.୬.୨୧ରେ ସମ୍ପୃକ୍ତ ରାଇସ୍‌ ମିଲ୍‌ ଅଞ୍ଚଳକୁ ୧୪୪ ଧାରା ଜାରି କରି ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦେଇଥିଲେ । ୪ ଜଣିଆ ଟିମ୍‌ରେ ଉପଜିଲ୍ଲାପାଳ, ସିଏସ୍‌ଓ, ଏସିଏସ୍‌ଓ, ତହସିଲଦାର ମିଶି ମିଲ୍‌ ଭିତରେ ଥିବା ସମସ୍ତ କାଗଜପତ୍ର ସହ ଧାନ କିଣା ଚାଉଳ ପେସାକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଲ୍‌ ଭିତରେ ଥିବା ହାରାହାରି ୫୦ ହଜାର କ୍ୱିଣ୍ଟାଲ ଧାନ କାଗଜ କଲମରେ କିଣା ହୋଇଥିବାର ରେକର୍ଡ଼ ଥିବା ଆଲୋଚନା ହେଉଥିବା ବେଳେ ଗୋଦାମରେ ପ୍ରକୃତରେ କେତେ ଧାନ ଅଛି, କେଉଁ କେଉଁ ପେକ୍ସରୁ କେତେ ଜଣ ଚାଷୀଙ୍କ ଠାରୁ କେତେ ଧାନ କିଣାଯାଇଛି, ତାହାର ସଠିକ୍‌ ତଥ୍ୟ ଅନୁଧ୍ୟାନ କରିଛି ତଦନ୍ତକାରୀ ଦଳ । ଗୋଟି ଗୋଟି କରି ଓଜନ କରିବା ପରେ କେତେ ଅନିୟମିତତା ହୋଇଛି ତାହା ଜଣାପଡ଼ିବ ବୋଲି ମାଜିଷ୍ଟ୍ରେଟ ଦାୟିତ୍‌ତ୍ୱରେ ଥିବା ତୁଷୁରା ତହସିଲଦାର ଶ୍ରୀଯୁକ୍ତ ନାଗ କହିଛନ୍ତି । ବର୍ତ୍ତମାନ ବିକାଶ ରାଇସ୍‌ ମିଲ୍‌କୁ ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ କରିବା ପରେ ଗୋଦାମରେ ଅଧିକ ଧାନ ଗଚ୍ଛିତ ରଖିଥିବା ଜଣାପଡ଼ିଥିବା ବେଳେ ଦେଓଗାଁ ଓ ତୁଷୁରା ଅଞ୍ଚଳର ମିଲ୍‌ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । କେଉଁ ମିଲ୍‌କୁ କେତେବେଳେ ଯେ ଚଢ଼ାଉ ହେବ, ତାକୁ ନେଇ ଚିନ୍ତାରେ ମିଲ୍‌ ମାଲିକ । ଚଳିତ ରବି ଋତୁରେ ଧାନ କିଣା ଆରମ୍ଭରୁ ଅନିୟମିତତା ଦେଖାଦେଇଥିଲା । ଟାର୍ଗେଟ କମ୍‌, ଟୋକନ ଅଧିକ ଥିବାରୁ ଟୋକନ ଲେପ୍ସ ହୋଇଥିବା ଚାଷୀମାନେ ସିଧାସଲଖ ମିଲକୁ ଧାନ ବିକ୍ରି କରିଦେଇଥିଲେ । ବର୍ତ୍ତମାନ ଏହି ଧାନ କେଉଁ ଚାଷୀର ଖାତାରେ ଗଡ଼ିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଯୋଗ୍ୟ ଯେ, ଡ଼ଙ୍ଗାପଥର ସ୍ଥିତ ବିକାଶ ରାଇସ୍‌ ମିଲ୍‌ କାଗଜପତ୍ରରେ ମଣ୍ଡିରୁ ଧାନ କିଣି ମିଲିଂ କରିବା ଓ ବିଦ୍ୟୁତ୍‌ ବିଲ୍‌ କମ୍‌ ହେବାକୁ ନେଇ ମିଲ୍‌ର କାର୍ୟ୍ୟକଳାପକୁ ନେଇ ସନ୍ଦେହ ଦେଖା ଯାଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଲାଙ୍ଗିର ଜିଲ୍ଲାପାଲ ଏକ ୪ ଜଣିଆ ଟିମ୍‌ ଗଠନ କରି ଉକ୍ତ ମିଲ୍‌ ଉପରେ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.