jayashree

ରେଣ୍ଡୋ ମାଝୀ ମାଟିକୁ ଚିହ୍ନିବ ସାରା ବିଶ୍ୱ

ମ.ରାମପୁର, (ହେମନ୍ତ ସାହୁ) : ଏକଦା ସ୍ୱାଧୀନତା ସଂଗ୍ରାମ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀ ଆଉ ଲୁଚି ରହିବେନି । ଏବେ ତାଙ୍କୁ ଜାଣିବ ସାରା ବିଶ୍ୱ । ଭାରତ ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତ ବର୍ଷର ପଞ୍ଚସ୍ତରୀ ଜଣ ଯୁବଲେଖକଙ୍କୁ ଜଣେ ଜଣେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଉପନ୍ୟାସ ଲେଖିବାର ସୁଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରସିପ୍ ପାଇଁ ମନୋନୀତ ହେଇଥିବା ଯୁବ ଲେଖକ ଡ଼ିଲେଶ୍ୱର ରଣା ଏ ଦିଗରେ ନିଜର କାମ ଆରମ୍ଭ କରିଥିବା ଜଣାଯାଇଛି । ଇତିମଧ୍ୟରେ ଶ୍ରୀ ରଣାଙ୍କ ସମେତ ଅଧ୍ୟାପକ ତଥା ପିଏଚଡ଼ି ଗବେଷକ କୌତୁକ ପନ୍ଦର, ଶାନ୍ତିନିକେତନର ପିଏଚଡ଼ି ଗବେଷକ ବିଭୂତି ପ୍ରଧାନ, ସାମ୍ବାଦିକ ହେମନ୍ତ ସାହୁ ଅନାଲୋଚିତ ତଥ୍ୟ ସାମ୍ନାକୁ ଆସିନଥିବା ଅନେକ ସାଂସ୍କୃତିକ ବିଭବକୁ ଦୃଷ୍ଟିକୁ ଆଣିବା ନିମନ୍ତେ ଏହି ଅଞ୍ଚଳ ଗସ୍ତ କରିଥିଲେ । ଏହି ସମୟରେ ସେମାନେ ଉର୍ଲଦାନୀଠାରୁ ନୂଆମୁଣ୍ଡା, ବାଇଜାର୍କା, ଶାଶପଦର, ଜାର୍କା, ମାର୍ଦ୍ଦିଙ୍ଗ, ଲାହାଡ଼ି, ମାସ୍କାପଦର ଦେଇ ଲୁବେନଗଡ଼ ପର୍ୟ୍ୟନ୍ତ ପାହାଡ଼ୀ ରାସ୍ତାରେ ଯାଇଥିଲେ । ଏହି ଗସ୍ତ ସମୟରେ ସେମାନେ ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ । ଏଠାରେ ସୂଚନାଥାଉ କି, ଯୁବ ଲେଖକ ଶ୍ରୀ ରଣା ରେଣ୍ଡୋ ମାଝୀଙ୍କ ଉପରେ ଏକ ଉପନ୍ୟାସ ରଚନା କରୁଛନ୍ତି, ଯାହା ଯୁବା ମେଣ୍ଟରସିପ୍ ର ଅନ୍ତର୍ଭୁକ୍ତ ଏବଂ ଏହି ବାବଦକୁ ଛଅମାସ ଯାଏଁ ମାସକୁ ପଚାଷ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

Leave A Reply

Your email address will not be published.