ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଛତ୍ରପୁର ରେଳଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳଷ୍ଟେସନର ଉନ୍ନତି ସକାଶେ ଛତ୍ରପୁର ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗତକାଲି ରାତି ୧୦ଟାରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ରାୟଗଡା ଗସ୍ତ କରିବା ସମୟରେ ଛତ୍ରପୁର ରେଳଷ୍ଟେସନ ଠାରେ ତାଙ୍କୁ ବିଜେପି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଛତ୍ରପୁର ରେଳଷ୍ଟେସନ ଓ କୋର୍ଟଷ୍ଟେସନକୁ ମିଶାଇ ଅପଗ୍ରେଡେସନ୍ କରି ଷ୍ଟେସନକୁ ଅତ୍ୟାଧୁନିକ କରଣ କରିବା ସହିତ ଛତ୍ରପୁର ରିକାପଲ୍ଲୀ ଲେଭେଲ କ୍ରସିଂ ଠାରେ ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟେସନ୍‌ରେ ସମସ୍ତ ଦ୍ରୁତଗାମୀ ଏକ୍ସପ୍ରେସ ରହଣି ପାଇଁ ବିଜେପି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଏହାସହ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୧୦ଟି ସୈନିକ ସ୍କୁଲ ମଧ୍ୟରୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଠାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଲିଗାଲ ସେଲ୍ ଆବାହକ ପ୍ରଦୀପ କୁମାର ପାଢୀ, ଛତ୍ରପୁରର ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ପୂର୍ବତନ ଉପନଗରପାଳ ବସନ୍ତ ବେହେରା, ବିଜେପି ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ଶଶି ପଟ୍ଟନାୟକ, ଶିବପ୍ରସାଦ ସାହୁ, ବ୍ଲକ ଜେନେରାଲ ସେକ୍ରେଟାରୀ ବି. ଶଙ୍କର ରେଡ୍ଡି, ଯୁବ ମାର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି. ସୁରେଶ ରେଡ୍ଡି, କମିଟିର ସଦସ୍ୟ ପି. ନାଗେଶ୍ୱର ରାଓ, ଚିକଲଖଣ୍ଡି ପଂଚାୟତର ନାଏବ ସରପଞ୍ଚ ଟି. ନାରାୟଣ ରେଡ୍ଡି ଓ ତ୍ରିଲୋଚନ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.