
ଭୁବନେଶ୍ୱର : କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ୱରର ରାଜଭବନ ଛକ ଯାଏ ୨୪ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ । ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି । ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବା ସହିତ ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରାଯିବ । ଏହା ପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବେ । ସୂଚନାଯୋଗ୍ୟ, ଖୁବ୍ ଶୀଘ୍ର ଓଡ଼ିଶାରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ । କଟକ-ଭୁବନେଶ୍ୱର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ । ପ୍ରଥମ ପର୍ୟ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ । ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଏହି ପ୍ରକଳ୍ପ କରିବେ ବୋଲି ଜଣାପଡ଼ିଛି ।