ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବଲାଙ୍ଗିର ଉପ ଜିଲ୍ଲାପାଳ ପବିତ୍ର କୁମାର ବେହେରା ମୁଖ୍ୟଅତିଥି ତଥା ସମ୍ମାନୀତ ଅତିଥିଭାବରେ ଡ଼ଃ. ଶ୍ରୀକର ମିଶ୍ର ଏବଂ ସଭାପତି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିବିରାର୍ଥୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବଲାଙ୍ଗିରର ଜିଲ୍ଲା ସଂଯୋଜକ ଡ଼ଃ. ଦୈତାରୀ ପୁଜାରୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡ୍କ୍ରସର ପରାମର୍ଶଦାତା ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ଦାସ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସୁଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ପଦଯାତ୍ରା, ଯୋଗ ଏବଂ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, ତର୍କ, ନୃତ୍ୟ, ସଂଗୀତ ଏବଂ ଚିତ୍ରାଙ୍କନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ବବିତା ମାଝୀ ପୁରସ୍କୃତ ହୋଇଥିଲେ । ବଲାଙ୍ଗିର ଜିଲ୍ଲାର ୪୨ଟି ମହାବିଦ୍ୟାଳୟର ୧୩୨ ଜଣ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ଦାସଙ୍କୁ ସମ୍ମାନୀତ କରାଯାଇଥିଲା ।