
ତରଭା, (କେପିଏନ୍ଏସ୍) : ତରଭା ବ୍ଲକ ଅନ୍ତର୍ଗତ କମସରା ଉଚ୍ଚ ବିଦ୍ୟାଳୟଠାରେ ତରଭା ବ୍ଲକସ୍ତରୀୟ ଏକଦିବସୀୟ ଜୁନିଅର୍ ରେଡ୍କ୍ରସ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । କମସରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଜ୍ଞା ପରମିତା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ତରଭା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ରଥ, ସୋନପୁର ଜିଲ୍ଲା ଜୁନିଅର୍ ରେଡ୍କ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତ, ଆର୍ଡିଓ ଝସକେତନ ମେହେର, ତରଭା ବ୍ଲକ ରେଡ୍କ୍ରସ୍ ସଂଯୋଜକ ବିଜୟ କୁମାର ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗବନ୍ଧୁ ନାଗ ପ୍ରମୁଖ ଯୋଗଦାନ କରି ରେଡ୍କ୍ରସ୍ ପତକା ଉତ୍ତୋଳନ କରିଥିଲେ । ରେଡ୍କ୍ରସ୍ର ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ ସେବା ମନୋଭାବ ନେଇ ମାନବ ସମାଜର ହିତରେ ସେବାକାର୍ଯ୍ୟ କରିବାକୁ ଆଗଭର ହେବାସହ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତ୍ୱର ଆହ୍ୱାନକୁ ସାର୍ଥକ କରିବାରେ ପ୍ରତିଜ୍ଞାବଦ୍ଧ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପରାମର୍ଶ ଦେଇଥିଲେ । ଜିଲ୍ଲା ରେଡ୍କ୍ରସ୍ ଅଫିସର ପଶାୟତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଚଳିତ ମାସରେ ହେବାକୁଥିବା ଜିଲ୍ଲାସ୍ତରୀୟ ରେଡ୍କ୍ରସ୍ ତାଲିମ ଶିବିର ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ରେଡ୍କ୍ରସ୍ର ସୃଷ୍ଟି ଓ ଏହାର ଜନକ ଜନ୍ ହେନେରୀ ଡୁନାଣ୍ଟଙ୍କ ସେବାମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସାଧନକର୍ମୀ ରୂପେ ତରଭା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରୁ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ଓ ପରାମର୍ଶଦାତାମାନଙ୍କୁ ସାଧନକର୍ମୀ ଆଶିଷ କୁମାର ନାଏକ, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ପ୍ରାଥମିକ ଚିକିତ୍ସା, ରେଡ୍କ୍ରସ୍ ଆନ୍ଦୋଳନ, ରକ୍ତଦାନ ଓ ରକ୍ଷକ ବିଷୟରେ ତାଲିମ ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି, ପରାମର୍ଶଦାତା, ସାଧନକର୍ମୀ ଓ ଛାତ୍ରଛାତ୍ରୀ କମସରା ଗ୍ରାମରେ ଏକ ଶୋଭାଯାତ୍ରା କରି ଗ୍ରାମବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ରକ୍ତଦାନ ଓ ରେଡ୍କ୍ରସ୍ର ସେବାକାର୍ଯ୍ୟ ସଂପର୍କରେ ସଚେତନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ତରଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ମିଶ୍ର, ସମ୍ମାନୀତ ଅତିଥିରୂପେ ଏବିଇଓ ସତ୍ୟନାରାୟଣ ମହାପାତ୍ର ଓ ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଦେଉଳପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୀୟ କୁମାର ମହାନ୍ତି ଯୋଗଦାନ କରି ରେଡ୍କ୍ରସ୍ର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଗୌରୀଶଙ୍କର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଆଶିଷ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ପରାମର୍ଶଦାତା ତୁଳସୀ ପ୍ରସାଦ ମେହେର, ପ୍ରଦ୍ୟୁମ୍ନ ମହାନ୍ତି, ଡବଲୁ ସାହୁ, ତ୍ରିପୁରାରୀ ପଧାନ, ବୀରକିଶୋର ପଣ୍ଡା, ଖିଲୋଣା ପଧାନ, ଆରତୀ ଜେନା, ଶତ୍ରୁଘ୍ନ ନାଏକ, ଶିକ୍ଷକ ପ୍ରତ୍ୟୁଷ କୁମାର ସାହୁ, ସତ୍ୟବ୍ରତ ବେହେରା, ପ୍ରଭଞ୍ଜନ ମହଲା, ରାଜେଶ ବେହେରା, ଆଦିତ୍ୟ ମିଶ୍ରଙ୍କ ସମେତ କମସରା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।