ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ରେଡକ୍ରସ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ସମସ୍ତଙ୍କ ପାଇଁ ମାନବୀୟ କାର୍ଯ୍ୟକୁ ପ୍ରାଥମିକତା ଦେବା ବୋଲି କହିବା ସହ ଉତ୍ସାହର ସହ କାର୍ଯ୍ୟ କଲେ ଯେ କୌଣସି କ୍ଷେତ୍ରରେ ସଫଳତା ମିଳେ ବୋଲି କହିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ନିଜ ବକ୍ତବ୍ୟରେ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଯେଉଁ ସେବା ମନୋଭାବ ନେଇ କାମ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ବୋଲି କହିବା ସହ ସମସ୍ତ ପରାମର୍ଶଦାତାଙ୍କୁ ପ୍ରତିଟି କାର୍ଯ୍ୟକୁ ହୃଦୟର ସହ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଜେଆରସିଓ ବିକାଶ ରଂଜନ ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆହତ ବ୍ୟକ୍ତିକୁ କିଭଳି ପ୍ରାଥମିକ ଚିକିତ୍ସା ଦିଆଯିବ । ବିଦ୍ୟାଳୟ ଗୁଡ଼ିକରେ ଜେଆରସି ୟୁନିଟ ଗଠନ ଓ ସଡକ ସୁରକ୍ଷା ସଂପର୍କରେ ବିସ୍ତୃତ ଭାବେ ସାଧନକର୍ମୀ ରଶ୍ମିରାଣୀ ଦାଶ ଓ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ କହିଥିଲେ । ସାଧନକର୍ମୀ ପ୍ରସନ୍ନ ଗଡତ୍ୟା ଏଡ୍ସ ରୋଗ ବିଷୟରେ ସମସ୍ତ ପରାମର୍ଶଦାତାଙ୍କୁ ଅବଗତ କରାଇଥିଲେ । ଜିିଲ୍ଳାର ଆଗଲପୁର, ଲୋଇସିଂହା, ପୁଇଁତଳା,ଦେଓଗାଁ, ଗୁଡଭେଲା ଓ ସଦରବ୍ଲକ ରୁ ୧୦୦ରୁ ଅଧିକ ଜୁୁୁନିୟର ରେଡକ୍ରସ ପରାମର୍ଶଦାତା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ମିଥୁନ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.