jayashree

ଛତାମଖନା ଜୁନିୟର କଲେଜରେ ରେଡକ୍ରସର ଇଣ୍ଡକ୍‌ସନ୍‌ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଛତାମଖନା ସ୍ଥିତ ଯୁଧିଷ୍ଠିର ଜୁନିୟର କଲେଜରେ ଯୁବ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏକ ଇଣ୍ଡକ୍‌ସନ୍‌ ସଭା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଡଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ପଦ୍ମାଳୟ ତ୍ରିପାଠୀ ଯୋଗଦେଇ ରେଡକ୍ରସର ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ଉପରେ ଗୁରୁତ୍ୱାରୋପ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୂଜାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରେଡକ୍ରସର ଉତ୍ପତ୍ତି, ଇତିହାସ, ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ବିଶଦ୍‌ ଭାବରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ଭାବରେ ଓଡିଆ ଅଧ୍ୟାପିକା ଶ୍ରୀମତୀ ଚାରୂଲତା ମିଶ୍ର ଯୋଗଦେଇ ରେଡକ୍ରସରେ ସ୍ୱେଚ୍ଛାସେବୀ ଭାବରେ ଅଂଶଗ୍ରହଣ କଲେ କି କି ଲାଭ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଅନୁଷ୍ଠାନରେ ଏହି ବର୍ଷ ପାଇଁ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ନେଇ ଦୁଇଟି ଶାଖା ଖୋଲାଯାଇଅଛି । ପ୍ରତ୍ୟେକ ଶାଖାରେ ୩୦ଜଣ ଲେଖାଏଁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ପ୍ରେମାନନ୍ଦ ବିଶି ପରିଚାଳନା କରିଥିଲେ । ଡ. ଧନଞ୍ଜୟ ସେଠ, ଡ. ପବିତ୍ର କୁମାର ଦଣ୍ଡସେନା, ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖୀଶ୍ୟାମ ବାଗ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚାସୀନ ଅନ୍ୟତମ ବକ୍ତା ଅର୍ଥନୀତି ବିଭାଗର ଅଧ୍ୟାପକ ରାଧାକାନ୍ତ ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମାପିତ ହୋଇଥିଲା ।

Leave A Reply

Your email address will not be published.