କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ହାଉସ୍‌ଠାରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟମାନେ ସାକ୍ଷାତ କରିଥିଲେ । ଆଲୋଚନା କାଳରେ ରାଉରକେଲା ବିମାନର ଉନ୍ନତିକରଣ, ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା, ସରକାରୀ କଲେଜଠାରେ ଏକକ ବିଶ୍ୱବିଦ୍ୟାଳୟ ସ୍ଥାପନ ବିଷୟରେ ଆଲୋଚନା ହୋଇଥିଲା । ଏଇ ବର୍ଷ ହକି ବିଶ୍ୱକପ ପରଠାରୁ ଆରମ୍ଭ ହୋଇଥିବା ରାଉରକେଲା ବିମାନ ସେବା ବିଭିନ୍ନ ଆଳରେ ବାଧାପ୍ରାପ୍ତ ହୋଇ ଆସୁଥିବାରୁ ବିମାନ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସହ ବିକାଶ ମଞ୍ଚର କର୍ମକର୍ତ୍ତାମାନେ ଉଦବେଗ ପ୍ରକାଶ କରିଥିଲେ । ସେଇଭଳି ବିସ୍ତୃତ ଭିତ୍ତିଭୂମି ଥାଇ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ସିଂହ ଭାଗ ରାଜସ୍ୱ ଦେବା ସହ ରାଉରକେଲାଠାରେ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂତନ ରେଳବାଇ ଡିଭିଜନ ଗଠନ ପାଇଁ ରେଳବାଇ କିମ୍ବା ସରକାରଙ୍କ ତରଫରୁ କୌଣସି ଉତ୍ସାହ ପରିଲକ୍ଷିତ ହେଉନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ରାଉରକେଲା ସରକାରୀ ମହାବିଦ୍ୟାଳୟଠାରେ ଏକଶହ ତେୟାଳିଶ କଲେଜକୁ ନେଇ ଏକକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପର ସୂଚନା ମିଳୁନାହିଁ । ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ସରକାର ରାଉରକେଲା, ଅମର୍ଦା ରୋଡ଼ ଓ ଜୟପୁର ବିମାନ ବନ୍ଦରର ଉନ୍ନତି କରଣ ପାଇଁ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବା ପାଇଁ “ରାଇଟ୍ସ” କମ୍ପାନୀକୁ ଦାୟିତ୍ୱ ଦେଇଥିବାରୁ ବିକାଶ ମଞ୍ଚର ସଦସ୍ୟ ମାନଙ୍କ ସହ ଏଅଂଚଳବାସୀ ଖୁସି ପ୍ରକାଶ ସହ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିସ୍ତୃତ ଆଲୋଚନା ପରେ ଏହି ଦାବି ଗୁଡିକର ଯଥାଶୀଘ୍ର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିବାରୁ ବିକାଶ ମଞ୍ଚ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଆଲୋଚନା ସମୟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ଉମା ମାହେଶ୍ୱର ରାଓ ଓ ମଞ୍ଚର ବରିଷ୍ଠ ଉପଦେଷ୍ଟା ଅଭୟ ଦାସ, ଅମୂଲ୍ୟ ବରାଳ, ସଂଜୀବ ମହାନ୍ତି, ସୁପ୍ରତିକ ମିଶ୍ର ଆଦି ଆଲୋଚନାରେ ଅଂଶ ଗ୍ରହଣ କରି ଶୀଘ୍ର ସୁଫଳର ଆଶା ପ୍ରକାଶ କରିଥିଲେ ।

Leave A Reply

Your email address will not be published.