କେନ୍ଦୁଝର : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ଚାଲିଗଲେ ସାର୍ । ରାତି ସାରା ସ୍କୁଲରେ ଅଟକ ରହିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ସ୍କୁଲ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲେ । ଶିକ୍ଷକମାନେ ଭଲ ଭାବରେ ଯାଞ୍ଚ ନକରି ସ୍କୁଲରେ ତାଲା ପକାଇ ଚାଲିଯାଇଥିଲେ । ସେପଟେ ଛାତ୍ରୀଙ୍କୁ ନପାଇ ପରିବାର ଲୋକେ ରାତିସାରା ଖୋଜାଖୋଜି କରି ନିରାଶ ହୋଇଥିଲେ । ଏପଟେ ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଥିଲେ । ଝରକାରେ ଅଟକି ରାତିସାରା ଲହୁ ଲୁହାଣ ଅବସ୍ଥାରେ ପଡି ରହିଥିଲେ । ଆଜି ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଚଳାଇଛି ।
