ରଥ ଯାତ୍ରରେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ପିକ ଅପ୍ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ଭାଇଁଷା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଥଯାତ୍ରା ରେ କୀର୍ତ୍ତନ ନାଚିବାକୁ ଯାଉଥିବା ଏକ ମହିଳା କୀର୍ତ୍ତନ ଦଳ ର ଗାଡ଼ି ଓଲଟିପଡ଼ିଛି । ଏହି ଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ମୃତ ବୃଦ୍ଧ ଜଣକ ହେଲେ ମୁକେଶ ଅସୁଲିଆ । ଗୁରୁତର ଆହତ ମାନେ ହେଲେ ବାସନ୍ତୀ ପାଣ୍ଡେ, ବସୁ ଶବର,ବିଜୟ ଲକ୍ଷ୍ମୀ ବାଗ, କମଳିନୀ ଘିବେଲା, ଶାର୍ଦୁଲ ପାଣ୍ଡେ ଓ ରବି ତୁମନିଆ । ଅନ୍ୟ ଆହତ ଙ୍କ ମଧ୍ୟରେ ନାବାଳିକା ମାନେ ମଧ୍ୟ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ପାଟଣାଗଡ଼ ଥାନା ଅନ୍ତର୍ଗତ ରାମପୁର ର ଏକ ମହିଳା ଦଳ ବାନ୍ଧନବାଡ଼ି ଗ୍ରାମ ରେ ଆୟୋଜିତ ହେଉଥିବା ରଥ ଯାତ୍ରା କାର୍ୟ୍ୟକ୍ରମ ରେ ଯୋଗ ଦେବାକୁ ଆସୁଥିଲେ। ଏକ ଟାଟା ପିକ୍ ଅପ୍ ଗାଡି (ଓଡି୦୩ଏଲ୯୩୮୨) ରେ ପ୍ରାୟ ୩୫ ରୁ ୪୦ ଜଣ ଥିବା ବେଳେ ଭଇଁଷା ଛକ ନିକଟରେ ହଠାତ୍ ଗାଡ଼ିଟି ଓଲଟି ପଡିଥିଲା। ଗାଡ଼ି ରେ ଥିବା ସମସ୍ତେ ପଡ଼ି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କୁ ଅଣାଯାଇଥିଲା। ସେଠାରେ ମୁକେଶ ଅସୁଲିଆ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପାଟଣାଗଡ଼ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.