ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ରୋକିବା ନେଇ ଏକ ସଚେତନତା ରଥ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ସାଇବର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ୟୁକୋ ବ୍ୟାଙ୍କ ଡେଲାଙ୍ଗ ଶାଖା ପ୍ରବନ୍ଧକ ଯୋଗେଶ ପ୍ରଧାନ, ଜିଲ୍ଲା ଆଞ୍ଚଳିକ ପୋଲିସ କାର୍ଯ୍ୟାଳୟର ଏ.ଏସ୍.ଆଇ ବଟକିଶୋର ସାହୁ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍, ଏ.ଏସ୍.ଆଇ ଗୋପବନ୍ଧୁ ରାଉତ, ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ର ଓ ଗାୟତ୍ରୀ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରମାନଙ୍କୁ ସାଇବର ଠକମାନଙ୍କ କବଳରୁ କିପରି ପରିବାରର ସଦସ୍ୟମାନଙ୍କୁ ଦୂରେଇ ରଖିହେବ ସେ ନେଇ ସଚେତନ କରାଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥ ବିଦ୍ୟାଳୟରେ ପହଞ୍ଚି ଥିବା ବେଳେ ଏହି ରଥକୁ ସେଠାରେ ସ୍ୱାଗତ କରାଯାଇଥିଲା । ଅଭିନୟ ଓ ଚଳଚିତ୍ର ମାଧ୍ୟମରେ କିପରି ବିଭିନ୍ନ ପ୍ରକାର ସାଇବର ଠକେଇ ରୋକା ଯାଇ ପାରିବ ସେ ସମ୍ପର୍କରେ ସଚେତନ କରାଯାଇଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨୪ ଘଣ୍ଟିଆ ସହାୟତା ନମ୍ବର ୧୯୩୦କୁ ତୁରନ୍ତ ଖବର ଦେବା ସହ ସାଇବର ଠକମାନଙ୍କୁ ଧରିବାରେ ପୋଲିସକୁ ସହଯୋଗ କରନ୍ତୁ ବୋଲି ଥାନାଅଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ।
Next Post