ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଯୋଗଦାନ ସହ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୫ ଜୁଲାଇ ୨୦୨୫ରେ) କଟକଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ‘ସାରଳା ସାହିତ୍ୟ ସଂସଦ’କୁ ପ୍ରଶଂସା କରିଛନ୍ତି । କଳିଙ୍ଗ ରତ୍ନ ପୁରସ୍କାର ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ‘ସାରଳା ସମ୍ମାନ’ ସାହିତ୍ୟ ପୁରସ୍କାର ପାଇଥିବା ବିଜୟ ନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଆମର ବିବିଧତା ଏକ ଇନ୍ଦ୍ରଧନୁ ପରି । ଆମର ଏକତା ଯୁଗ ଯୁଗ ଧରି ବହୁତ ସୁଦୃଢ଼ ରହିଛି । ଆମର ଅନେକ ଭାଷା ଅଛି, କିନ୍ତୁ ଭାବନା ଗୋଟିଏ । ଏତେ ସଂଖ୍ୟକ ଭାଷା ଏବଂ ଧର୍ମକୁ ନେଇ ଭାରତ ଯେପରି ଭାବେ ଏକଜୁଟ ଏବଂ ସଦ୍ଭାବନାର ସହ ରହିଆସିଛି ତାହା ଦେଖି ବିଶ୍ୱ ଚକିତ ହୋଇଥାଏ । ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ଶିକ୍ଷା ପରମ୍ପରାକୁ ସମୃଦ୍ଧ କରିବାରେ ଭାରତୀୟ ଭାଷାଗୁଡ଼ିକର ବ୍ୟାପକ ଅବଦାନ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଖୁସିର ବିଷୟ । ମାତୃଭାଷାରେ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ିବାରେ ସହାୟକ ହେବ । ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ମଧ୍ୟ ଶିଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.