jayashree

ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦରେ ବଣିକ ସଂଘର ରାସ୍ତା ରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକର ହରିଶଙ୍କର । ଏଠାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏହି ସ୍ଥାନର ଆଶାନୁରୂପକ ବିକାଶ ଆଜି ଯାଏଁ ହୋଇନାହିଁ । ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ପରାମର୍ଶ ନ ନେଇ କାମ ହୋଇଥିବା ବେଳେ ତାର ମାନ, ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବିଷୟ ସ୍ଥାନୀୟ ବଣିକ ସଂଘ କ୍ଷୋବର ସହ ପ୍ରକାଶ କରିଛି । ଏହାସହ ତିନିଦଫା ଦାବୀ ନେଇ ବଣିକ ସଙ୍ଘ ତରଫରୁ ବୁଧବାର ହରିଶଙ୍କର ଚିଡିଆଖାନାଠାରେ ରାସ୍ତା ରୋକ କରାଯାଇଥିଲା । ରାସ୍ତାରୋକ ଯୋଗୁଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିବା ବେଳେ ଦୂର ଦୁରାନ୍ତରରୁ ଆସିଥିବା ଶହ ଶହ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ରହିଥିଲେ । ବଣିକ ସଙ୍ଘର ଦାବୀ ଗୁଡ଼ିକ ମଧ୍ୟରେ ପର୍ଯ୍ୟଟନ ବିଭାଗ ତରଫରୁ ନିର୍ମାଣାଧିନ ବଜାର ଗୃହର ଆୟତନ ଛୋଟ ରହୁଥିବା ବେଳେ ଏହାକୁ ବଢ଼ାଇ ୧୦ ଫୁଟ/୧୨ ଫୁଟ କରାଯାଉ, ଭୂମିହୀନ ଦୋକାନୀକୁ ଥଇଥାନ କରିବାକୁ ଦାବୀ କରିଥିଲେ । ଆନ୍ଦୋଳନ ସ୍ଥଳକୁ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟା ନନ୍ଦ ସେଠୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିବା ସହ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡ଼ି ବସିଥିଲେ । ଉପଜିଲ୍ଲାପାଳ ଆଲୋଚନା ପାଇଁ ନିର୍ଭର ପ୍ରତିଶୃତି ପରେ ମଧ୍ୟାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.