ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଗ୍ରାମଠାରେ ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଏହାକୁ ତିଖାଲି ଡ୍ୟାମ କହନ୍ତି । ଖର୍ଚ୍ଚ ହେଲା ପ୍ରାୟ ୨୧ ଶହ କୋଟି ଟଙ୍କା । ବିକାଶ ନିମନ୍ତେ ଜିଲ୍ଲାର ଅନେକ ସ୍ଥାନରେ ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା । କିନ୍ତୁ ଯେଉଁ ଗାଁ ନାମରେ ଯୋଜନା ହେଲା ସେହି ଗାଁକୁ ଭଲ ରାସ୍ତାଟିଏ ହୋଇ ପରିଲା ନାହିଁ । ତେଣୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ୍) ନିର୍ମାଣ ହେଲା ତିଖାଲି ଗ୍ରାମ ପାଖରେ । ତିଖାଲି ଗ୍ରାମବାସୀଙ୍କୁ ଏହି ଡ୍ୟାମ୍ ନିମନ୍ତେ ଅନେକ କିଛି ତ୍ୟାଗ କରିବାକୁ ପଡିଲା । ଡ୍ୟାମ୍ ହେବାରୁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇ ଜୀବନ ଜୀବିକା ହରାଇଲେ । ମୁଷ୍ଟିମେୟ କିଛି ଲୋକ ମାଲାମାଲ୍ ହେଲେ । ଦୁଃଖ କଷ୍ଟରେ ପଡି ରହିଛନ୍ତି ତିଖାଲି ଗ୍ରାମବାସୀ । ଗାଁଠାରୁ ନଦୀ ଯାଏଁ ଦରଗାଁ ନାଗପଡାକୁ ଏକ ରାସ୍ତା ରହିଛି । ଗ୍ରାମବାସୀ ଏହି ରାସ୍ତାରେ ଯିବା ଆସିବା କରନ୍ତି । ତିଖାଲି ଗ୍ରାମର ଏହି ରାସ୍ତା କଡରେ ଏକ ସୁନ୍ଦର ବଗିଚା ରହିଛି ଯେଉଁଠିକୁ ଖରାଦିନେ ଲୋକେ ରୀତିମତ ବଣ ଭୋଜି କରିବାକୁ ଆସନ୍ତି । ହେଲେ ଏହି ରାସ୍ତା ଏକ ପ୍ରତିବନ୍ଧକ ସାଜିଛି । ତିଖାଲି ଡ୍ୟାମ ପାଇଁ ଯେଉଁ ତିଖାଲି ଗ୍ରାମବାସୀ ତ୍ୟାଗ କଲେ ସେହି ଗ୍ରାମବାସୀଙ୍କ ନିମନ୍ତେ ଏକ ରାସ୍ତା ମଧ୍ୟ ହୋଇ ନପାରିବା ଦୁଃଖର ବିଷୟ ବୋଲି ଲୋକେ କହୁଛନ୍ତି । ପ୍ରଶାସନ ତରଫରୁ ଏହି ରାସ୍ତା ଯଥାଶୀଘ୍ର କରାଇବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।