
- ସାମାନ୍ୟ ବର୍ଷାରେ ରାସ୍ତା ପାଲଟୁଛି ପୋଖରୀ
- ୧୫ଦିନରେ ମରାମତି ନ କଲେ ଆନ୍ଦୋଳନ ଧମକ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ-ଦେଷଣ୍ଢ ରାସ୍ତାର ଅର୍ଡାରୁ ଭୂତିଆରବାହାଲ ଛକ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ସବୁ ସମୟରେ ବଡ଼ ବଡ଼ ଟ୍ରକ୍ ଯିବା ଆସୁଥିବାରୁ ଖରା ମାସରେ ଟ୍ରକ୍ ବା ବଡ଼ ଗାଡ଼ି ପଛ ପଟେ ଯାଉଥିବା ଗାଡ଼ି ଚାଳକ ଗେଟି ଗୁଣ୍ଡରେ ପାତି ହୋଇ ଯାଉଥିବା ଦେଖିବାକୁ ମିଳୁଛି । ସେହିପରି ସାମାନ୍ୟ ବର୍ଷାରେ ଏହି ରାସ୍ତା ଉପରେ ଥିବା ଖାଲ ଗୁଡିକରେ ପାଣି ଭରି ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ରାସ୍ତାର ୩କିଲୋମିଟର ମଧ୍ୟରେ ୧୦ରୁ ୧୫ଟି ବଡ଼ ବଡ଼ ଖାଲ ବନ୍ଧ ଭଳି ରାସ୍ତାକୁ ଭରି ରହୁଛି । ଫଳରେ ବର୍ଷା ଦିନ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଓଗାଁ ବ୍ଳକ ବଡବନ୍ଧ, ସିକୁଆଁ, କରୁଆଁଝର, ଗୋଏଲପିଟା, ସିଲେଟକାନୀ ଗ୍ରାମବାସୀ ଏହି ରାସ୍ତାକୁ ଯଥାଶୀଘ୍ର ମରାମତି କରିବାକୁ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ଏହି ରାସ୍ତା ମରାମତି କରିବା ପାଇଁ ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ତେଣୁ ଆସନ୍ତା ୧୫ଦିନ ମଧ୍ୟରେ ଏହି ରାସ୍ତାକୁ ମରାମତି କରାନଗଲେ ଏହି ରାସ୍ତା ଉପରେ ନିର୍ଭରଶୀଳ ଜନସାଧାରଣ ଆନ୍ଦୋଳନ କରିବା ନେଇ ତାଗିଦ୍ କରିଛନ୍ତି ।