ମହାକୁମ୍ଭ-୨୦୨୫ : ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

  • ନାଫେଡ୍‍ ଦ୍ୱାରା ଏପର୍ଯ୍ୟନ୍ତ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ରାସନ୍ ବଣ୍ଟନ କରାଯାଇଛି; ୨୦ଟି ମୋବାଇଲ୍ ଭ୍ୟାନ ନିୟୋଜିତ ହୋଇଛି, ହ୍ୱାଟ୍ସଆପ୍ ଏବଂ କଲ୍ ମାଧ୍ୟମରେ ରାସନ୍ ଉପଲବ୍ଧ

ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନାଫେଡ୍‍ (ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍) ମାଧ୍ୟମରେ ରିହାତି ଦରରେ ଅଟା, ଡାଲି, ଚାଉଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉଛି । ପୁଣି ଏଥିଲାଗି ଶ୍ରଦ୍ଧାଳୁଙ୍କୁ ଦୋକାନକୁ ଯିବାକୁ ପଡ଼ୁନାହିଁ ନାହିଁ ବରଂ, ଦୋକାନ ସ୍ୱୟଂ ତାଙ୍କ ପାଖକୁ ଆସି ରାସନ ଯୋଗାଉଛି । ଶ୍ରଦ୍ଧାଳୁ ହ୍ୱାଟ୍ସଆପ୍ କିମ୍ବା କଲ୍ ମାଧ୍ୟମରେ ମଧ୍ୟ ରାସନ୍ ଅର୍ଡର କରିପାରୁଛନ୍ତି । ଏ ଭିତରେ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ରାସନ୍ ବଣ୍ଟନ କରାଯାଇସାରିଛି, ଏବଂ ସମଗ୍ର ମହାକୁମ୍ଭ ସହର ଏବଂ ପ୍ରୟାଗରାଜରେ ୨୦ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ବଣ୍ଟନ ଜାରି ରହିଛି ବୋଲି ସମବାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଶ୍ରମ ଏବଂ ଭକ୍ତଙ୍କ ପାଇଁ ସୁଲଭ ରାସନ ଯୋଗାଇବାକୁ ମୋବାଇଲ୍ ଭ୍ୟାନ
ମହାକୁମ୍ଭରେ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁ ଯେପରି ଖାଦ୍ୟ ଅଭାବର ସମ୍ମୁଖୀନ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ରାସନ ବିତରଣ କରାଯାଉଛି । ନାଫେଡ୍‌ର ରାଜ୍ୟ ମୁଖ୍ୟ ରୋହିତ ଜୈନ କହିଛନ୍ତି, କୌଣସି ଭକ୍ତଙ୍କୁ ଖାଦ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ଏହି ସ୍ୱତନ୍ତ୍ର ଯୋଜନା ସମବାୟ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ସମୟରେ ସେମାନଙ୍କର ଖାଦ୍ୟ ଉପଲବ୍ଧ ନିଶ୍ଚିତ କରିବା ପାଇଁ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଦୀପକ ଅଗ୍ରୱାଲ ବ୍ୟକ୍ତିଗତ ଭାବରେ ସମଗ୍ର କାର୍ଯ୍ୟର ତଦାରଖ କରୁଛନ୍ତି । ମହାକୁମ୍ଭରେ ଉପସ୍ଥିତ ଭକ୍ତମାନେ ୭୨୭୫୭ ୮୧୮୧୦ ନମ୍ବରକୁ କଲ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ରାସନ ପାଇଁ ଅର୍ଡର ଦେଇପାରିବାର ବ୍ୟବସ୍ଥା ହୋଇଛି । ସବସିଡିଯୁକ୍ତ ରାସନରେ ୧୦ କିଲୋ ପ୍ୟାକେଟ ବିଶିଷ୍ଟ ଅଟା ଏବଂ ଚାଉଳ ଅନ୍ତର୍ଭୁକ୍ତ ରହିଛି । ଏହାସହ ମୁଗ, ମସୁର ଏବଂ ଚଣା ଡାଲି ୧ କିଲୋ ପ୍ୟାକେଟରେ ବଣ୍ଟନ କରାଯାଉଛି । ହିତାଧିକାରୀଙ୍କଠାରୁ ଅର୍ଡର ପାଇବା ମାତ୍ରେ, ସମ୍ପୃକ୍ତ ଆଶ୍ରମ ଏବଂ ତପସ୍ୱୀମାନଙ୍କୁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ତୁରନ୍ତ ରାସନ ବିତରଣ କରାଯାଉଛି । ଏ ପର୍ଯ୍ୟନ୍ତ ୭୦୦ ମେଟ୍ରିକ୍ ଟନ୍ ଗହମ ଅଟା, ୩୫୦ ମେଟ୍ରିକ୍ ଟନ୍ ଡାଲି (ମୁଗ, ମସୁର ଏବଂ ଚଣା ଡାଲ), ଏବଂ ୧୦ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରାଯାଇଛି । ନାଫେଡ୍‌ର ଉତ୍ପାଦ ଏବଂ ‘ଭାରତ ବ୍ରାଣ୍ଡ’ ଶସ୍ୟ ଭକ୍ତମାନଙ୍କ ମଧ୍ୟରେ ଶୀଘ୍ର ଲୋକପ୍ରିୟତା ହାସଲ କରୁଛି । ଏହି ଯୋଜନା ମାଧ୍ୟମରେ, ସରକାର ମହାକୁମ୍ଭରେ ଯୋଗ ଦେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ କେବଳ ଉଚ୍ଚମାନର ରାସନ୍ ଯୋଗାଇ ଦେଉଛନ୍ତି ତାହା ନୁହେଁ ବରଂ ପ୍ରକ୍ରିୟାକୁ ସୁବିଧାଜନକ ଏବଂ ସୁଲଭ ମଧ୍ୟ କରିଛନ୍ତି । ମୋବାଇଲ୍ ଭ୍ୟାନ ଏବଂ ଅନ-କଲ୍ ସୁବିଧା ଏହି ସେବାକୁ ଆହୁରି ପ୍ରଭାବଶାଳୀ କରିଛି । ଏହି ସୁବିଧା ମହାକୁମ୍ଭ ୨୦୨୫ ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏକ ସୁଗମ ଏବଂ ସ୍ମରଣୀୟ ଅଭିଜ୍ଞତା ହୋଇ ରହିବ ।

Leave A Reply

Your email address will not be published.