୨୨ରୁ ଅଧିକ ଚାକିରିଆ ରାସନ କାର୍ଡ ଫେରାଇଲେଣି

  • ଶତାଧିକ ଚାକିରିଆ ଓ ଆୟକରଦାତାଙ୍କ କାର୍ଡ ବାତିଲ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମସ୍ତଙ୍କୁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ତେବେ ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଉଛନ୍ତି । ରାଜ୍ୟରେ ସରକାର ବଦଳିବା ପରେ ଏହା ଉପରେ ଗୁରୁତ୍ୱ ଦେଇ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବିଶେଷ କରି ସରକାରୀ ଚାକିରିଆ ଏବଂ ଆୟକର ଦେଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୂଦାୟ ୧, ୭୪, ୪୯୩ କାର୍ଡଧାରୀ ସାମିଲ ଅଛନ୍ତି । ମୋଟ୍‌ ୬, ୩୬, ୨୩୮ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି । ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୮୭୫ କାର୍ଡଧାରୀ ଥିବାବେଳେ ଏଥିରେ ୬୬୨୮ ହିତାଧିକାରୀ ସାମିଲ ଅଛନ୍ତି । ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରା ଏଚ୍‌ଆର୍‌ଏମ୍‌ଏସ୍‌ ତଥ୍ୟ ଆଧାରରେ ଏମାନଙ୍କ ମଧ୍ୟରେ ସମୂଦାୟ ୧୭୭୭ ଚାକିରିଆ ଥିବା ଜଣାପଡ଼ିଛି । ସେହିଭଳି ହିତାଧିକାରୀଙ୍କ ମଧ୍ୟରେ ୭୬୩ ଜଣ ଆୟକରଦାତା ଥିବା ମଧ୍ୟ ଜଣାପଡ଼ିଛି । ଏମାନଙ୍କ କାର୍ଡ ବାତିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦୯ ଜଣ ଚାକିରିଆ ଓ ୪୬ ଜଣ ଆୟକରଦାତାଙ୍କ କାର୍ଡ ବାତିଲ ହୋଇସାରିଛି । ଅନ୍ୟମାନଙ୍କ ପ୍ରକୃତ ସ୍ଥିତି ନେଇ ଅନୁଧ୍ୟାନ ଚାଲିଥିବା ଏବଂ ଅଯୋଗ୍ୟତା ପ୍ରମାଣିତ ହେଲେ ସେମାନଙ୍କ କାର୍ଡ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର । ରାଇକିଆ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନେକ ସରକାରୀ କର୍ମଚାରୀ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି । ଅପରପକ୍ଷରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏବେ ଇ – କେୱାଇସି ଅପଡେଟ ଆରମ୍ଭ ହେବାପରେ କାର୍ଡ ହାତେଇଥିବା ୨୨ରୁ ଅଧିକ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବା ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ କେବଳ ଅଧିକ ଦରମା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ଫେରସ୍ତ ରଖାଯାଇଛି । ଯୋଗ୍ୟ ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ଜିଲ୍ଲାର ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ ହେଲେ ପ୍ରାୟ ୭ ହଜାର ହିତାଧିକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.