ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା’ ରାମାୟାଣାମ୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଥିବା ବେଳେ ସୋମବାର ସନ୍ଧ୍ୟାରେ ଦେବୀଙ୍କ ମହାଷ୍ଟମୀ ପୂଜା ନୀତିକାନ୍ନ୍ତି ଅନୁସାରେ ସମାହିତ ହୋଇଯାଇଛି । ସୂଚନା ଥାଉକି, ଏହା ଛତ୍ରପୁର ସହରର ଏହି ପ୍ରତ୍ୟକ୍ଷ ଦେବୀ ଠାକୁରାଣୀ ବୋଲି ଜନମାନସରେ ପରିଚିତ ଏବଂ ଏହି ମନ୍ଦିର ମା’ ଠାକୁରାଣୀ ମନ୍ଦିର ଭାବେ ଖ୍ୟାତି ରହିଛି । ପ୍ରତି ଦୁଇ ବର୍ଷକୁ ଥରେ ଏହି ଭଗବତୀ ମା’ ଙ୍କ ନାମରେ ଠାକୁରାଣୀ ଯାତ୍ରା ପ୍ରାୟତଃ ମାସେ ବ୍ୟାପୀ ଯାତ୍ରା ସମ୍ଭାର ଆୟୋଜିତ ହୋଇଥାଏ । ଏହି ଠାକୁରାଣୀ ଯାତ୍ରା ଓଡ଼ିଶା ପ୍ରସିଦ୍ଧ ଅଟେ । ଦେବୀଙ୍କ ମନ୍ଦିର ଗଠନ ଶୈଳୀ ଏବଂ ପୂଜାର୍ଚ୍ଚନା ବିଧିବିଧାନ ଆନ୍ଧ୍ର ପ୍ରଥା ତଥା ତେଲୁଗୁ ସଂସ୍କୃତି ପରମ୍ପରା, ଧର୍ମଧାରଣ ନୀତି ଆଧାରରେ ରହିଥିବା ଦେଖାଯାଏ । ପ୍ରତିବର୍ଷ ନବରାତ୍ର ପୂଜା ମଧ୍ୟ ଏକ ନିଆରା ପରମ୍ପରାରେ ନବଦିନ ବ୍ୟାପୀ ସମାହିତ ହୋଇ ଆସୁଅଛି । ଉଦ୍ଭୟ ତେଲୁଗୁ ଓ ଓଡ଼ିଆ ଭାଷାଭାଷୀର ଲୋକଙ୍କ ସର୍ବୋପରି ଏହି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଦେବୀ ଭାବେ ପୂଜିତା ଶ୍ରୀ ଶ୍ରୀ ରାମାୟାଣାମ୍ମାଙ୍କ ନବରାତ୍ର ପୂଜା ଖୁବ୍ ନିଆରା ଏବଂ ବିଶେଷ କରି ବହୁ ସଂଖ୍ୟାରେ ମହିଳାମାନଙ୍କ ଗହଳ ଚହଳରେ ଉତ୍ସବମୁଖର ହୋଇ ଉଠିଥାଏ । ତେଲୁଗୁ ସଂସ୍କୃତିର ବେଦ ମନ୍ତ୍ରରେ ସ୍ଥାନଟି ଉଚ୍ଛୁଳି ପଡିଥାଏ । ପ୍ରତିଦିନ ସାନ୍ଧ୍ୟ ବେଳେ ୧୦୮ ମହିଳା ଏବଂ ତଦୃର୍ଦ୍ଧ ସଂଖ୍ୟାରେ ମହିଳାମାନଙ୍କ ଦ୍ୱାରା ଗୋଷ୍ଠୀଗତ ଭାବେ ଦେବୀ ଭଗବତୀଙ୍କ ସ୍ତୋତ୍ର, ଶ୍ରୀଦୁର୍ଗା ଶହସ୍ରନାମ ଉଚ୍ଚ୍ଚାରଣ ହେଉଥିବା ବେଳେ ମହିଳାମାନଙ୍କ ଦ୍ଵାରା କୁଙ୍କୁମ ପୂଜା ଆଦି ସମସ୍ତଙ୍କ ପାଇଁ ଖୁବ୍ ଆକର୍ଷଣୀୟ ଭାବେ ଆୟୋଜିତ ହୋଇଥାଏ । ଏହା ତେଲୁଗୁ ଆଧ୍ୟାତ୍ମିକ ସାଂସ୍କୃତିକ ବାତାବରଣକୁ ଆହୁରି ଶୀହରିତ କରିଥାଏ । ରୌପ୍ୟ ମୁକୁଟ ଏବଂ ସ୍ଵର୍ଣ୍ଣ ଖଚିତ ଭଗବତୀ ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥାଏ । ସଦାସର୍ବଦା ସ୍ଵର୍ଣ୍ଣ ଅଳଙ୍କାର ଦେବୀଙ୍କ ଆଭୂଷଣରେ ଭରପୂର ହୋଇଥାଏ । ସର୍ବୋପରି ଦେବୀଙ୍କ ଦୈନିକ ନୀତିକାନ୍ତି, ପୂଜା ଆରାଧନା ଆଦି ତେଲୁଗୁ ସଂସ୍କୃତିରେ ସମ୍ପନ୍ନ ହୋଇଥାଏ । ତେଲୁଗୁ ପୂଜା ପଣ୍ତିତଙ୍କ ମନ୍ତ୍ରପାଠରେ ସମାହିତ ହୋଇ ଛତ୍ରପୁର ସହର ଟି ମୁଖରିତ ହୋଇଥାଏ । ଚଳିତ ବର୍ଷର ପୂଜା ଆରାଧନାରେ ପଣ୍ଡିତ ଶ୍ରୀ ଜେ. ହରିଗୋପାଳ ଶାସ୍ତ୍ରୀ ପୌରହିତ୍ୟ କରି ଲୋକଙ୍କ ମଙ୍ଗଳବିଧାନ ପାଇଁ ଅଂଶଗ୍ରହଣ କରି ଆସିଛନ୍ତି ।