ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରି ପର୍ବତ ଶୀର୍ଷରେ କେଉଁ ଆବହମାନ କାଳରୁ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ୧୬ ଦିନ ଧରି ପୂଜା ଆରାଧନା ଶାରଦୀୟ ଦୁର୍ଗା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ଏକାଦଶୀ ତିଥିରେ ସମ୍ପୂର୍ଣ୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ ମା’ ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି । ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ ଓ ନବମୀରେ ମା’ ନାରାୟଣୀ, ଦଶମୀରେ ଈଶାନୀ ବେଶ ଓ ଏକାଦଶୀରେ ମା’ ବିଷ୍ଣୁମାୟା ବେଶରେ ଦର୍ଶନ ଦେଇଥିଲେ । ଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଦିବାକର ଦାଶ ମୁଖ୍ୟକର୍ତ୍ତା ଓ ଗଞ୍ଜାମର ଅଶୋକ ଆଚାର୍ଯ୍ୟ ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ । ଏହି ପୂଜା ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଏବଂ ବ୍ରହ୍ମପୁରର ବେଦଧ୍ୟାୟୀ ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶଙ୍କ ଉପସ୍ଥିରେ ବେଦପାଠ ମାଧ୍ୟମରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଆସୁଛି । ଦୈନିକ ସନ୍ଧ୍ୟା ସମୟରେ ଦେବୀଙ୍କ ୧୦୮ ଆରତୀ ବନ୍ଦାପନା ବେଳେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ନୀତି ନିଷ୍ଠାପର ଭାବେ ସଂକଳ୍ପ ହୋଇଥିବା ସଧବା ମହିଳାମାନଙ୍କ ଦ୍ୱାରା ଦୁର୍ଗା ସହସ୍ର ନାମରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଆସୁଛି । ଏଥିରେ ଶତାଧିକ ମାଆ ମାନେ ଅଂଶଗ୍ରହଣ କରିଥାନ୍ତି । ମହାଷ୍ଟମୀ ଯାଏଁ ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବା ପାଇଁ ସ୍ଥିର କରଯାଇଛି । ଠିକ ସେହିପରି ପୂଜା ସୋପାନ ପ୍ରକ୍ରିୟା ଅନୁସାରେ ଶ୍ରୀ ଚଣ୍ଡୀପାଠ, ଚଣ୍ଡୀ ହବନ ଇତ୍ୟାଦି କରାଯାଇଥିଲା । ଏକାଦଶୀ ଅବସରରେ ମା’ଙ୍କୁ ଦର୍ଶନ କରିବା ଲାଗି ଛତ୍ରପୁର ଅଞ୍ଚଳର ସମାଜସେବୀ ପ୍ରଶାନ୍ତ କର, ସମାଜସେବୀ ଭାଗିରଥି ବେହେରା, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି (ଏଡ଼ିଏମ୍) ଏବଂ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ଏହି ଅବସରରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି ସିଏଚ୍ ଦୟାନନ୍ଦ ରେଡ୍ଡୀ, ଉପ-ସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ସହ ସଂଯୋଜକ ତୁଷାର ଶତପଥୀ, ଜ୍ୟୋତିର୍ବିଦ ଦୀପକ ଦାସ, ତ୍ରିନାଥ ନାୟକ, ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧ୍ୟକ୍ଷ), ଦଣ୍ଡ ମହାରଣା ଏବଂ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ଜାଗରଣ ଉତ୍ସବକୁ ଖୁବ୍ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଆସୁଛନ୍ତି ।