
କେସିଙ୍ଗା : ପବିତ୍ର ରାମ ନବମୀ ଉପଲକ୍ଷେ ‘ଶ୍ରୀ ରାମଜୀ କି ଟୋଲି’ କେସିଙ୍ଗା ଦ୍ୱାରା ଶୁକ୍ରବାର ସକାଳ ୧୦ଟାରେ ବଲାଙ୍ଗିର ଛକ ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରୁ ଏକ ‘ବିରାଟ ମଟର ସାଇକେଲ ରାଲି’ ବାହାରି ବୋରିଂପଦର ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ସମାପ୍ତ ହୋଇଯାଇଛି । ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ରାମ ଭକ୍ତ ଯୋଗଦାନ କରି ମଟର ସାଇକେଲ ରାଲିରେ ସାମିଲ୍ ହୋଇଥିଲେ । ସହରରେ ମଟର ସାଇକେଲ ରାଲି ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କେସିଙ୍ଗା ପୁଲିସ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପୁଲିସ କର୍ମଚାରୀଙ୍କୁ ମୁତୟନ ରଖାଯାଇଥିଲା ।
ସେହିପରି ଆଜି ଅପରାହ୍ନ ୩ଟାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ‘ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କର ଏକ ବିରାଟ ପଟୁଆର (ଶୋଭାଯାତ୍ରା)’ ବାହାରିବା କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ମୁଖ୍ୟ ସଡକ ଦେଇ ଆସି ବୁଢାଡଙ୍ଗର ମନ୍ଦିର ସାମ୍ନା ତଳ ରାସ୍ତା ଦେଇ ପୂର୍ବ ନଗରପାଳ ସ୍ୱର୍ଗତ ଜୟକିଶନ ଶର୍ମାଙ୍କ ଘର, ତିନିକୋଣିଆ ଛକ ଦେଇ ଜନତା ରାଇସ ମିଲରେ ପହଞ୍ଚି ସେଠାରୁ ଫେଡରେସନ/ଗୌରୀ ଶଙ୍କର ମନ୍ଦିର ଛକ ଦେଇ ପୁଣି ମୁଖ୍ୟ ସଡ଼କରେ ଯାଇ ଅମ୍ବାଜି ମନ୍ଦିରରେ ସମାପ୍ତି ହେବ ।
ଏହି ଶୋଭାଯାତ୍ରାକୁ ଏକ ଭବ୍ୟ ଶୋଭାଯାତ୍ରା କରିବା ପାଇଁ କେସିଙ୍ଗାବାସୀ ସମସ୍ତ ପ୍ରକାର ଆୟୋଜନ କରିଛନ୍ତି । କେସିଙ୍ଗା ଅଞ୍ଚଳର ପ୍ରାୟ ସମସ୍ତ ସଙ୍ଗଠନ ଓ ଅନୁଷ୍ଠାନ ମଧ୍ୟ ଏହି ଶୋଭାଯାତ୍ରାରେ ସକ୍ରିୟ ସହଯୋଗ କରୁଛନ୍ତି ଓ ରାସ୍ତାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ସାମିଲ ଭକ୍ତଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ କରିଛନ୍ତି । ଶୋଭାଯାତ୍ରା ଅମ୍ବାଜି ମନ୍ଦିରରେ ପହଞ୍ଚିବା ପରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିବା ନେଇ ଶ୍ରୀ ରାମଜୀ କି ଟୋଲୀ, କେସିଙ୍ଗା ପକ୍ଷରୁ ସୂଚନା ଦିଆଯାଇଛି ।