ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୬୯ତମ ଜନ୍ମଦିବସ ଉପଲକ୍ଷେ ବିଶ୍ୱାତ୍ମ ଚେତନା ପରିଷଦ ତରଫରୁ ‘ରକ୍ତଦାନ ଶିବିର’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେପ୍ଟେମ୍ବର ୫ ତାରିଖ ଦିନ ପୂଜ୍ୟପାଦ ଶ୍ରୀ ସ୍ଵାମୀଜୀ ମହାରାଜଙ୍କ ପବିତ୍ର ୬୯ତମ ଜନ୍ମ ଦିବସ ଉପଲକ୍ଷେ ବିଶ୍ଵାତ୍ମ ଚେତନା ପରିଷଦ ତରଫରୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ପରିସରରେ ‘ରକ୍ତଦାନ ଶିବିର’ର ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂଜ୍ୟପାଦ ଶ୍ରୀ ସ୍ଵାମୀଜୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ଦୀପ-ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପୂଜ୍ୟପାଦ ଶ୍ରୀ ସ୍ଵାମୀଜୀ ମହାରାଜ ଏହି ଅବସରରେ ପରୋକ୍ଷ ରକ୍ତସମ୍ପର୍କ ବିସ୍ତାରର ଉପାଦାନ– ରକ୍ତଦାନ ସନ୍ଦର୍ଭରେ ରକ୍ତଦାନକୁ ମହାଦାନ ତଥା ଜୀବନବିନ୍ଦୁଦାନ କହି ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ପ୍ରେରିତ କରିଥିଲେ । ଏହି ରକ୍ତଦାନ ଶିବିରରେ ସମସ୍ତ ସଦସ୍ୟ-ସଦସ୍ୟା ମାନଙ୍କ ଦ୍ୱାରା ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜଙ୍ଗଲ ବିଭାଗ ରେଞ୍ଜର ନବୀନ କୁମାର ପଣ୍ଡା, ବିଶ୍ଵାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ଵାମୀ ସତ୍ୟବେଦାନନ୍ଦ ସରସ୍ଵତୀ, କୋଷାଧ୍ୟକ୍ଷ ସ୍ଵାମୀ ସତ୍ୟପ୍ରେମାନନ୍ଦ ସରସ୍ଵତୀ, ବିଶ୍ୱାତ୍ମ ବିଦ୍ୟା ମନ୍ଦିର ସମ୍ପାଦକ ନବୀନ ବେଦବାକ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସଦସ୍ୟ-ସଦସ୍ୟା, ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ (ବିଶ୍ଵାତ୍ମ ବିଦ୍ୟାର୍ଥୀ ମଣ୍ଡଳର ସଦସ୍ୟ-ସଦସ୍ୟା) ତଥା ଅଭିଭାବକ, ଅଭିଭାବିକା ବୃନ୍ଦ ଯୋଗଦେଇ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.