oom

ଛତିଶଗ଼ଡ଼ ରାଜ୍ୟପାଳଙ୍କ ଦ୍ଵାରା ମୁରିବାହାଲର ଡାକ୍ତର ଭକ୍ତବନ୍ଧୁ କୁମ୍ଭାର ସମ୍ବର୍ଦ୍ଧିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆନ୍ତର୍ଜାତୀୟ ଚିକିତ୍ସକ ଦିବସରେ ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ ରମନ୍ ଡେକ୍କାଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଳା ଗ୍ରାମର ଚିକିତ୍ସକ ଡ. ଭକ୍ତବନ୍ଧୁ କୁମ୍ଭାର ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ ହୋଇଛନ୍ତି । ଛୋଟ ଗାଁ ବାନ୍ଦୁପଳାରୁ ଯାଇ ଏହି ଉଚ୍ଚଶିକ୍ଷିତ ଯୁବକ ଏବେ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରର ସାଗର ମଲ୍ଟି ସ୍ପେଶିଆଲିଟି ନାମକ ଏକ ପ୍ରତିଷ୍ଠିତ ଡାକ୍ତରଖାନାର ବିଶିଷ୍ଟ ଡାକ୍ତର ତଥା ମ୍ୟାନେଜିଂ ଡାଇରେକ୍ଟର । ପିତା ମଦନମୋହନ କୁମ୍ଭାର ଓ ମା ସିତୟା କୁମ୍ଭାରଙ୍କ ଏହି ସୁଯୋଗ୍ୟ ସନ୍ତାନ ନିଜ କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ସଫଳତାର ଶୀର୍ଷରେ ପହଁଚିପାରିଛନ୍ତି । ନିଜ ସଂଘର୍ଷମୟ ଜୀବନରେ ନିଷ୍ଠାପର କଠିନ ପରିଶ୍ରମ ତାଙ୍କୁ ଜଣେ ବିଶିଷ୍ଟ ଡାକ୍ତର ଭାବରେ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ଏକ ମଫସଲ ଗାଁ ବାନ୍ଦୁପଲାରେ ଜନ୍ମ ହୋଇ ସେଠାରେ ପ୍ରାଥମିକ ଶିକ୍ଷା ପରେ ଟିକ୍ରାପଡ଼ାରେ ହାଇସ୍କୁଲ ପାଠ ପଢିବା ପାଇଁ ଯିବା ସହ ବାହାରକୁ ଯାଇ ଡାକ୍ତରୀ ପାଠ ପଢିଥିଲେ । ତାଙ୍କୁ ବହୁ ସଂଘର୍ଷ ପରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାର ସୁବର୍ଣ୍ଣ ସୁଯୋଗ ମିଳିଛି । ଫଳରେ ଛୋଟ ଦିନର ସ୍ୱପ୍ନ ତାଙ୍କର ପୂରଣ ହୋଇପାରିଛି । ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ତାଙ୍କ ମନରେ ଗଭୀର କଷ୍ଟ ଦେଉଥିଲା । ଛୋଟବେଳୁ ଦେଖିଥିଲେ ବଡ଼ ହେଲେ ଡାକ୍ତର ହେବାର ଅସୁମାରୀ ସ୍ୱପ୍ନ । ତାଙ୍କର ସେହି ସ୍ୱପ୍ନ ଆଜି ସାକାର ହୋଇଛି । ବିଶିଷ୍ଟ ଯୁବ ଡାକ୍ତର ଭାବେ ସେ ରାତିଦିନ ରୋଗୀଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଜିଲ୍ଲାର ବହୁ ସଂଖ୍ୟକ ରୋଗୀ ଯାଇ ଶ୍ରୀ କୁମ୍ଭାରଙ୍କ ହସ୍ପିଟାଲରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି । ଶ୍ରୀ କୁମ୍ଭାରଙ୍କ ଏଭଳି ସାମାଜିକ କାର୍ଯ୍ୟ ପାଇଁ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ଡେକ୍କାଙ୍କ ଦ୍ୱାରା ଆନ୍ତର୍ଜାତୀୟ ଚିକିତ୍ସକ ଦିବସ ଉପଲକ୍ଷେ ତାଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ମୁରିବାହାଲ ବ୍ଲକ ଅଞ୍ଚଳ ତଥା ନିଜ ଗାଁରେ ଖୁସିର ଲହରୀ ଖେଳିଯିବା ସହ ନିଜ ଜ୍ଞାତିକୁଟୁମ୍ବ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି ।

jittmm
Leave A Reply

Your email address will not be published.