ରାଜ୍ୟ ସରକାର କେନ୍ଦୁପତ୍ରରୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀଙ୍କ ଦୁଃଖ ବୁଝୁ ନାହାନ୍ତି : ପ୍ରଦୀପ ପୁରୋହିତ

  • କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରି ଚାଲିଛନ୍ତି
  • ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ସେ ଘୋଷଣା କୁଆଡେ ଗଲା ?
  • କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ
  • ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସ୍‌ଟି ଟିକସ ଛାଡ କରନ୍ତୁ
  • ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବୀ କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର କେନ୍ଦୁପତ୍ରରୁ ବର୍ଷକୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । ଓଡିଶାର ଲକ୍ଷ ଲକ୍ଷ କେନ୍ଦୁ ପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ବିଜୁ ଜନତା ଦଳର ସରକାର ଅବହେଳା, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ବର୍ତ୍ତମାନ ଉପନିର୍ବାଚନ ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡର ୭୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ ଶ୍ରମିକଙ୍କୁ ବିଜୁ ଜନତା ଦଳର ସରକାରଙ୍କର ମନ୍ତ୍ରୀମାନେ ଓ ପ୍ରଶାସନିକ କଳ ଡାହା ମିଛ କହି ପ୍ରଲୋଭିତ କରି ଭୋଟ ହାତେଇବାର ଅପଚେଷ୍ଟା କରୁଛନ୍ତି ବୋଲି ଆଜି ପଦ୍ମପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପାର୍ଥୀ ପ୍ରଦୀପ ପୁରୋହିତ । ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ ରେଢାଖୋଲରେ ଲକ୍ଷାଧିକ ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁ ହେବା ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ୯ ବର୍ଷ ବିତିସାରିଥିବା ବେଳେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । କେନ୍ଦୁପତ୍ର ତୋଳାଳିମାନଙ୍କୁ ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ଝିଅ ବାହାଘର ସହାୟତା, ଛାତ୍ର ବୃତ୍ତି ସହାୟତା, ଚିକିତ୍ସା ସହାୟତାକୁ ୨୦୧୮ରେ ଲାଗୁକଲେ । ମାତ୍ର ୨୦୧୯ ନିର୍ବାଚନ ସରିବା ପରେ ଏହାକୁ ବନ୍ଦ କରିଦେଲେ । ଏହି ଯୋଜନାରେ ସାମିଲ ହେବା ପାଇଁ ତୋଳାଳିଙ୍କୁ ସର୍ବନିମ୍ନ ୧୦ ଚଟା ପତ୍ର ତୋଳିବା ସ୍ଥାନରେ ଏହାକୁ ବୃଦ୍ଧି କରି ୨୦ ଚଟା କରିଦେଲେ ଯାହା ଚଟା ପତ୍ର ତୋଳିବା ତୋଳାଳୀଙ୍କ ପାଇଁ କଷ୍ଟକର ହୋଇଯାଇଛି । ରାଜ୍ୟ ସରକାର ବର୍ଷକୁ ବର୍ଷ ଉତ୍ପାଦନ କମାଇବା କାମ ମଧ୍ୟ କରୁଛନ୍ତି ଯାହା ସିଧାସଳଖ କେନ୍ଦୁପତ୍ର ସହିତ ଜଡିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ପେଟକୁ ଲାତ ମାରିବା ଭଳି ହୋଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଶ୍ରୀ ପୁରୋହିତ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳର ସରକାର କରୋନା ମହାମାରୀ ସମୟରେ ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ । ସବୁଆଡେ ସର୍ବନିମ୍ନ ମଜୁରି ବୃଦ୍ଧି ହୋଇଥିଲେ ମଧ୍ୟ ସିଜନାଲ ଷ୍ଟାଫଙ୍କ ଦରମା ୩ ବର୍ଷ ହେଲା ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ପଂଚାୟତକୁ ହସ୍ତାନ୍ତର ନାମରେ ଘରୋଇ କମ୍ପାନୀଙ୍କ ସହିତ ମଧୁଚନ୍ଦ୍ରିକା କରି ଆଗକୁ କେନ୍ଦୁପତ୍ର ସଂସ୍ଥାର ଘରୋଇକରଣ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଯାହା ଫଳରେ ଲକ୍ଷ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ଆଜି ଅନ୍ଧାରକୁ ଠେଲି ହୋଇଯାଉଛି । ବର୍ତ୍ତମାନ ଉପନିର୍ବାଚନ ସମୟରେ ପଦ୍ମପୁର ଅଂଚଳର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ଭୋଟ ହାତେଇବା ପାଇଁ ଜିଏସ୍‌ଟି କଥା ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସ୍‌ଟି ଟିକସ ଛାଡ କରନ୍ତୁ ଏବଂ ନାଟକବାଜି ନକରି ବିଧିବଦ୍ଧ ଭାବରେ କେନ୍ଦୁପତ୍ରରେ ଜିଏସ୍‌ଟିକୁ ଛାଡ କରାଯାଉ ବୋଲି ଜିଏସ୍‌ଟି କାଉନସିଲରେ ଦାବୀ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ତୁରନ୍ତ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁକରିବା, ଆସନ୍ତା ସିଜନ ପାଇଁ ତୋଳାଳୀଙ୍କ ପତ୍ର ଦର ବୃଦ୍ଧି କରିବା, ତୋଳାଳୀଙ୍କ ପାଇଁ ୧୦୦ ପ୍ରତିଶତ ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୪୦ ପ୍ରତିଶତ ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା, ଛାତ୍ର ବୃତ୍ତି, ଚିକିତ୍ସା ସହାୟତା ତୁରନ୍ତ ଲାଗୁକରିବା ପାଇଁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ସେହିଭଳି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବୀ କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ଓ କେବେ ଲାଗୁ କରିବେ ବୋଲି ବିଜେପିର ବିଧାୟକ ପ୍ରାର୍ଥୀ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପଦ୍ମପୁର ଡିଭିଜନର ସମ୍ପାଦକ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଂଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!