ଉଚ୍ଚ ଶିକ୍ଷା ସଚିବଙ୍କ ମନ୍ତବ୍ୟ ନିରୁତ୍ସାହଜନକ, ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ – ପୁରାତନ ଛାତ୍ର ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର ଗୁରବାର ଦିନ ତାଙ୍କର ବଲାଙ୍ଗିର ଗସ୍ତରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ୫୦ ଏକର ଜମି ପର୍ଯ୍ୟାପ୍ତ ବୋଲି ମତ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଏହାକୁ ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ୧୫୦ ଏକର ଜମି ଖୋଜା ନେଇ ଦିନ ରାତି ଏକ କରୁଥିବା ବେଳେ ସରକାରୀ ସଚିବଙ୍କ ଏଭଳି ମନ୍ତବ୍ୟ ବଲାଙ୍ଗିରବାସୀଙ୍କ ପାଇଁ ଅତି ନିରୁତ୍ସାହଜନକ । ପୂର୍ବତନ ଛାତ୍ର ସଂଘ ଏହାକୁ ଦୃଢ ଭାବେ ଖଣ୍ଡନ କରୁଛି । ତେବେ, ସରକାରୀ ସଚିବଙ୍କ ମନ୍ତବ୍ୟ କଣ ସରକାରୀ ମନ୍ତବ୍ୟ ? ଯାହା ବଲାଙ୍ଗିରବାସୀଙ୍କ ସ୍ୱପ୍ନର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ୫୦ ଏକରରେ ସିମିତ ରଖିବ ବୋଲି ପ୍ରଶ୍ନ କରିବା ସହ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଆଜି ପୂର୍ବତନ ଛାତ୍ର ସଂଘ ଗଣମାଧ୍ୟମ ସାମନାରେ ଉଦବେଗ ପ୍ରକାଶ କରିଛି । ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ୧୫୦ ଏକରର ଆବଶ୍ୟକ ବୋଲି ସବୁ ଦିଗରୁ ମତ ପ୍ରକାଶ ପାଇଛି । ବିଶ୍ୱ ବିଦ୍ୟାଳୟ ପାଇଁ ୨୪୮ ଏକର ଜମି ଦାନ କରାଯାଇଥିବା କୁହାଯାଉଥିବା ବେଳେ ବିଶ୍ୱ ବିଦ୍ୟାଳୟ ପାଖରେ ଗୋଟିଏ ଇଞ୍ଚ ଜମି ନଥିବା ଜଣାପଡିଥିଲା । ସମସ୍ତଙ୍କ ଉଦ୍ୟମରେ ଏବେ ଧିରେ ଧିରେ ୬୨ ଏକର ଜମି ବିଶ୍ୱ ବିଦ୍ୟାଳୟକୁ ହସ୍ତାନ୍ତର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟ ପଟେ ଆବଶ୍ୟକୀୟ ଅବଶିଷ୍ଟ ୯୦ ଏକର ପାଇଁ ସବୁ ଦିଗରୁ ପ୍ରୟାସ ଜାରି ରହିଛି । ଏଭଳି ସ୍ଥିତିରେ ସରକାରୀ ସଚିବ ବଲାଙ୍ଗିର ଗସ୍ତରେ ଆସି ବିଶ୍ୱ ବିଦ୍ୟାଳୟ ପାଇଁ ୫୦ ଏକରରୁ ଅଧିକ ଜମିର କୌଣସି ଆବଶ୍ୟକତା ନାହିଁ । ବିଶ୍ୱ ବିଦ୍ୟାଳୟ ୟୁଜିସି ଗ୍ରାଣ୍ଟ ପାଇଁ ବିକଳ ନ ହେଉ । ବିଶ୍ୱ ବିଦ୍ୟାଳୟର ସମସ୍ତ ଖର୍ଚ୍ଛ ସରକାର ବହନ କରିବ ବୋଲି କହିବା ଅତି ଦୁର୍ଭାଗ୍ୟଜନକ । ତେବେ ଏହା କେବଳ ସଚିବଙ୍କ ମନ୍ତବ୍ୟ ନା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ହୋଇଥିବା ସରକାରୀ ଯୋଜନାର ପୂର୍ବାଭାସ । ତେବେ କେବଳ ୫୦ ଏକର ଜମିରେ କଣ ବଲାଙ୍ଗିରବାସୀଙ୍କ ବିଶ୍ୱସ୍ତରୀୟ ବିଶ୍ୱ ବିଦ୍ୟାଳୟ ସିମିତ ରହିବ । ଆହୁରି, ପ୍ରସ୍ତାବିତ ଅଡିଟରିଅମ, ସାଇନ୍ସ ପାର୍କ, ଆଡମିନେିଷ୍ଟ୍ରଟିଭ ବିଲ୍ଡିଂ, ଖେଳ ପଡିଆ, ହଷ୍ଟେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସୁବିଧା କେଉଁଠି ହେବ ବୋଲି ଛାତ୍ର ସଂଘ ପ୍ରଶ୍ନ କରିଛି । ଏଭଳି ସ୍ଥିତିରେ ସରକାର ନିଜ ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିବା ସହ, ବିଶ୍ୱ ବିଦ୍ୟାଳୟ ଜମି ହସ୍ତାନ୍ତର ସମୟ ସ୍ପଷ୍ଟ କରନ୍ତୁ, ବିଶ୍ୱ ବିଦ୍ୟାଳୟ ପାଇଁ ଅତି କମ୍‌ରେ ୧୫୦ ଏକର ଜମି ପ୍ରଦାନ କରନ୍ତୁ, ପୂର୍ବ ଘୋଷିତ ୨୫ କୋଟି ଅର୍ଥ ରାଶି ତୁରନ୍ତ ପ୍ରଦାନ କରନ୍ତୁ ଓ ବିଶ୍ୱ ବିଦ୍ୟାଳୟ ପାଇଁ ଅବଶ୍ୟକ ଅଧ୍ୟାପକ ତଥା କର୍ମଚାରୀ ପଦବୀ ସରକାର ତୁରନ୍ତ ପୂରଣ କରନ୍ତୁ ବୋଲି ସଂଘ ଦାବୀ କରିଛି । ସରକାର ତୁରନ୍ତ ନିଜ ଆଭିମୂଖ୍ୟ ସ୍ଫଷ୍ଟ କରିବା ସହ ଉପରୋକ୍ତ ଦାବୀ ପୁରଣ ନକଲେ ଏହି ଉଦବେଗ ବିଶାଳ ଜନ ଆନ୍ଦୋଳନର ରୂପ ନ ନେବ ତାହା କୁହାଯାଇ ନପାରେ ବୋଲି ଆଜି ସଂଘ ଚେତାଇ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଭବାନୀ ଶଙ୍କର ଶତପଥି, ପ୍ରବୀଣ ମିଶ୍ର, ଅସୀମ ପଟ୍ଟନାୟକ ଓ ବିରଞ୍ଚିମୋହନ ଜେନା ମଞ୍ଚସୀନ ଥିଲେ ।

Leave A Reply

Your email address will not be published.