ମୁରିବାହାଲ – ରହେନଭଟା ରେଳୱେ ଷ୍ଟେସନ ମଝି ଟ୍ରେନ ଲାଇନ ପାର୍ଶ୍ଵରେ ପଡ଼ିଥିବା ଛତିଶଗଡ଼ର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳୱେ ଷ୍ଟେସନ ଓ ରହେନଭଟା ରେଳୱେ ଷ୍ଟେସନ ମଧ୍ୟରେ ଥିବା ତେନ୍ତୁଳିଖୁଣ୍ଟି ଗ୍ରାମ ନିକଟ ୧୮୮/୨୨ ଓ ୧୮୮/୨୪ ରେଳଖମ୍ବର ରେଳଧାରଣା ପାର୍ଶ୍ୱରୁ ଜଣେ ବୃଦ୍ଧ(୭୦)ଙ୍କ କ୍ଷତାକ୍ତ ମୃତ ଦେହକୁ ଟିଟିଲାଗଡ ଜିଆରପି ଓ ଆରପିଏଫ ଦ୍ଵାରା ଉଦ୍ଧାର କରାଯାଇଛି । ବୃଦ୍ଧଜଣଙ୍କ ରାତ୍ରିରେ କୌଣସି ଏକ ଦୃତଗାମୀ ଟ୍ରେନରୁ ପଡ଼ିଯାଇଥିବା ସନ୍ଦେହ କରାଯାଉଛି । ସେ ଧୋତି, କୁର୍ତ୍ତା, ହାପପ୍ୟାଣ୍ଟ୍ ପିନ୍ଧିଥିବା ସହ ବେକରେ ଏକ ତୁଳସୀ ମାଳା ପଡ଼ିଥିବାରୁ ସେ ତୀର୍ଥ ଯାତ୍ରାରେ ଯାଇଥିବା ଜଣାପଡିଛି । ଖବର ପାଇ ଟିଟିଲାଗଡ ଜିଆରପି ଏଏସଆଇ ଉମାକାନ୍ତ ଯୋଶୀ ଓ ଆରପିଏଫ ଏସଆଇ ଏନ.କେ ତ୍ରିପାଠୀ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ଟିଟିଲାଗଡ ପଠାଇଥିଲେ । ବୃଦ୍ଧଙ୍କ ପକେଟରୁ ମିଳିଥିବା ଏକ ମୋବାଇଲ ନମ୍ବରକୁ ଯୋଗାଯୋଗ କରିବାରୁ ସେ ଛତିଶଗଡ ରାଜ୍ୟ ଦୁର୍ଗ ନିକଟସ୍ଥ ବାଳୁତ ଜିଲ୍ଲାର ରନଚିରେଲ ଥାନା ଅଞ୍ଚଳର ଜଗଦୀଶ ଚନ୍ଦ୍ରାକାର ବୋଲି ଜଣାପଡିଛି । ସେ ତୀର୍ଥ ଯାତ୍ରାରେ ଯାଇ ଫେରୁଥିବା ସମ୍ପର୍କୀୟମାନେ ପ୍ରକାଶ କରିବା ସହ ମୃତଦେହ ନେବାକୁ ଟିଟିଲାଗଡ ଆସୁଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଟିଟିଲାଗଡ ଜିଆରପି ଥାନାରେ ଅପମୃତ୍ୟୁ କେସ ନଂ. ୩୯/୨୪ ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଶବକୁ ଫ୍ରିଜରରେ ରଖାଯାଇଥିବା ବେଳେ ପରିବାର ଶବ ଚିହ୍ନଟ ପରେ ବ୍ୟବଚ୍ଛେଦ କରି ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଆରପି ଏଏସଆଇ ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.