ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ର ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲାଙ୍କର ନୈତିକ ମୂଲ୍ୟବୋଧ ଶିକ୍ଷା ପରିବାରରୁ ହିଁ ଆରମ୍ଭ ହୋଇଥାଏ । ଆମ ଭାରତର ପ୍ରାଚୀନ ସଂସ୍କୃତି, ପୋଥିପୁରାଣ, ଦର୍ଶନଶାସ୍ତ୍ର ପ୍ରତ୍ୟେକରେ ମୂଲ୍ୟବୋଧ ଶିକ୍ଷାର ଉପାଦାନ ରହିଛି । ପରିବାର ଓ ବିଦ୍ୟାଳୟରୁ ପିଲାଙ୍କ ଭିତରେ ସଦଶିକ୍ଷା ଓ ଚରିତ୍ର ଗଠନ ପ୍ରତି ସଚେତନତା ସୃଷ୍ଟି ଆବଶ୍ୟକ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ର ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ଗତ ଶନିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ “ସାମ୍ପ୍ରତିକ ସମାଜରେ ନୈତିକ ମୂଲ୍ୟବୋଧ” ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବରେ ଯୋଗଦେଇ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ଼ଃ. ସୁଶାନ୍ତ କୁମାର ପଣ୍ଡା ପିଲାଙ୍କ ଭିତରେ ବର୍ତ୍ତମାନ ନୈତିକ ଶିକ୍ଷା ବଦଳରେ ଆଧୁନିକ ତଥା ଅତ୍ୟାଧୁନିକ ଶିକ୍ଷାର ଆଗ୍ରହ ବଢୁଛି, ଆଧୁନିକ ଶିକ୍ଷା ସହିତ ନୈତିକ ଶିକ୍ଷା ସେମାନଙ୍କ ପାଇଁ କେତେ ଜରୁରୀ ତାହା ଆମକୁ ସେମାନଙ୍କୁ ଜଣେଇବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମାକୁମାରୀ ଉଷା ଭଉଣୀ ଆମ ପ୍ରାଚୀନ ଭାରତୀୟ ଦର୍ଶନ, ତଥା ମହାପୁରୁଷଙ୍କ ମହତବାଣୀର ଉଦାହରଣ ଦେଇ ଯୁବବର୍ଗ ତଥା ଆମେ ସମସ୍ତେ କିପରି ଏହି ମାର୍ଗରେ ପରିଚାଳିତ ହୋଇପାରିବା ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ଆଲୋଚକ ଭାବରେ ଆକାଶବାଣୀ ବଲାଙ୍ଗିରର କାର୍ଯ୍ୟକ୍ରମ ମୁଖ୍ୟ ତଥା ଖ୍ୟାତନାମା ଗାଳ୍ପିକ ମନୋଜ ପୂଜାରୀ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦାର୍ଶନିକଙ୍କର ଦର୍ଶନୋପଦେଶ, ଭାଗବତର ମହତବାଣୀ ତଥା ଅନେକ ଲୋକକଥା ଓ କାହାଣୀର ଦୃଷ୍ଟାନ୍ତ ଦେଇ ଏ ସବୁଥିରୁ ଆମେ କିପରି ନୈତିକ ମୂଲ୍ୟବୋଧ ଶିକ୍ଷା କରିପାରିବା ବୁଝାଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ସଂସ୍କୃତି ପଟ୍ଟନାୟକ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ସଂକୃତିପ୍ରେମୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ‘ରଚନା’ର ସଭାପତି ସନାତନ ଠାକୁର, ସମ୍ପାଦକ ଭାଗିରଥି ମିଶ୍ର, କୋଷାଧକ୍ଷ ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ସଭ୍ୟସଭ୍ୟା ଯୋଗଦେଇଥିଲେ ।

Leave A Reply

Your email address will not be published.