ମାସିକ ରଚନା ସନ୍ଧ୍ୟା : ମା ମାଟି ଓ ଜୀବନର କଥା କହେ ମୋର ଗଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲାଦିନରୁ ଲେଖାଲେଖି ପ୍ରତି ମୋର ଆଗ୍ରହ ଥିଲା । ସାଧାରଣ ମଣିଷର ଦୁଃଖ ଓ ବେଦନା ମୋତେ ଆନ୍ଦୋଳିତ କରୁଥିଲା । ଯେଉଁ ମାଟିରେ ମୁଁ ବଢ଼ିଛି, ଯେଉଁ ମଣିଷମାନଙ୍କର ସଂସ୍ପର୍ଶରେ ମୁଁ ଆସିଛି ସେମାନଙ୍କ ନିଛକ ଜୀବନ କାହାଣୀକୁ ହିଁ ମୋର ଗଳ୍ପ ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କରିଛି । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆୟୋଜିତ ‘ମାସିକ ରଚନା ସନ୍ଧ୍ୟା’ରେ ତାଙ୍କ କୈଶୋରରୁ ଆରମ୍ଭ କଥାଯାତ୍ରା ସମ୍ପର୍କରେ ବର୍ଣ୍ଣନା କରି ଏମିତି କହିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାଶିଳ୍ପୀ ଗାୟତ୍ରୀ ସରାଫ । ପ୍ରଥମେ ତାଙ୍କ ଏକାଡେମୀ ପୁରସ୍କାର ପ୍ରାପ୍ତ ଗଳ୍ପ ସଂକଳନ ଇଟାଭାଟିର ଶିଳ୍ପୀରୁ ଦାଦନ ଲହଡ଼ା ଶୀର୍ଷକ ଗଳ୍ପକୁ ପାଠ କରିଥିଲେ ସୌମ୍ୟା ମଧୁପର୍ଣା ତ୍ରିପାଠୀ । ପରେ ଅଧ୍ୟାପକ ଡ଼. ଜଗନ୍ନାଥ ସାହୁ ଏବଂ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ଗାୟତ୍ରୀ ଗଳ୍ପ ମାନସ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ‘ରଚନା’ର ସହ ସମ୍ପାଦକ କବି ରତ୍ନମୟ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ସଭାରେ ରଚନାର ସଭାପତି ସନାତନ ଠାକୁର ଓ ଅନ୍ୟ ସଦସ୍ୟଙ୍କ ସହିତ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.